ହଷ୍ଟେଲରେ ବରିଷ୍ଠଙ୍କ ‘ଦାଦାଗିରି’! ୨୦ରୁ ଅଧିକ କନିଷ୍ଠ ଛାତ୍ରଙ୍କୁ ବାଡ଼ି ଓ ନଡ଼ିଆ ବାହୁଙ୍ଗାରେ ନିର୍ମମ ପ୍ରହାର

ଭିଡିଓ ଭାଇରାଲ ପରେ ୬ ଛାତ୍ରଙ୍କ ନାଁରେ ଏଫ୍‌ଆଇଆର୍‌, ବିଭାଗୀୟ ତଦନ୍ତ ଆରମ୍ଭ

ରାୟଗଡା, ୦୫/୦୮(ଦକ୍ଷ ବାଥ୍ରା): ବିଦ୍ୟାଳୟରେ ପତିଆରା ଜାହିର କରିବାର ବିକୃତ ମାନସିକତା ଏବେ ଛାତ୍ରାବାସକୁ ମଧ୍ୟ କବଳିତ କରିଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧୀନ ରିଭଲକଣା ହାଇସ୍କୁଲ ଛାତ୍ରାବାସରେ ବରିଷ୍ଠ ଛାତ୍ରଙ୍କ ଦାଦାଗିରିର ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ଦଶମ ଶ୍ରେଣୀର କିଛି ଛାତ୍ର ନବମ ଶ୍ରେଣୀର ୨୦ରୁ ଅଧିକ ଅନ୍ତେବାସୀଙ୍କୁ ନଡ଼ିଆ ବାହୁଙ୍ଗା ଓ ବାଡ଼ିରେ ନିର୍ମମ ଭାବେ ପିଟୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ପ୍ରଶାସନ ତତ୍ପର ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ଛାତ୍ରାବାସରେ ଏହି ଘଟଣା ଘଟିଥିଲା। ନବମ ଶ୍ରେଣୀର କିଛି ଛାତ୍ର ଦଶମ ଶ୍ରେଣୀର ଜଣେ ଛାତ୍ର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ୍ କରାଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜର କିଛି ସହପାଠୀଙ୍କ ସହ ମିଶି ନବମ ଶ୍ରେଣୀର ୨୦ରୁ ଅଧିକ ଅନ୍ତେବାସୀଙ୍କୁ ଧାଡ଼ିରେ ଠିଆ କରାଇ ବାଡ଼ି ଓ ନଡ଼ିଆ ବାହୁଙ୍ଗାରେ ଅମାନବିକ ଭାବେ ପ୍ରହାର କରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ଦୁଇ ଦିନ ପରେ ସାମ୍ନାକୁ ଆସିବା ସହ ଘଟଣା ପଦାକୁ ଆସିଛି।

ବିଦ୍ୟାଳୟର ଛାତ୍ରାବାସ ଦାୟିତ୍ୱରେ ଥିବା ଡମ୍ବରୁଧର ତ୍ରିପାଠୀ କହିଛନ୍ତି, ଘଟଣାକୁ ଗୁରୁତର ସହ ନିଆଯାଇଛି। ସମ୍ପୃକ୍ତ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ୬ ଜଣ ଛାତ୍ରଙ୍କ ନାଁରେ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଘଟଣାର ଖବର ପାଇ କୋଲନରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କୋଲନରା ୱେଲଫେୟାର ଏକ୍ସଟେନ୍ସନ ଅଫିସରଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ସହ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ଛାତ୍ରାବାସରେ ରହୁଥିବା ଅନ୍ୟ ଅନ୍ତେବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଘଟଣା ସମୟରେ ଛାତ୍ରାବାସର ଦାୟିତ୍ୱରେ କିଏ ଥିଲେ, କିପରି ଏତେ ବଡ଼ ଘଟଣା ଘଟିଲା ଏବଂ ଛାତ୍ରମାନଙ୍କ ସୁରକ୍ଷାରେ କୌଣସି ଅବହେଳା ହୋଇଛି କି ନାହିଁ, ସେନେଇ ବିଭାଗୀୟ ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।