ୟୁପିଆଇ ଟ୍ରାଞ୍ଜାକ୍ସନରେ ଲାଗିବ ଶୁଳ୍କ

ଜାଣନ୍ତୁ କେଉଁମାନଙ୍କୁ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ, ୦୫/୦୮: ଭାରତରେ ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ (ସଂଶୋଧନ)‌ ବିଲ୍ ଉପରେ ପ୍ରସ୍ତାବ ରଖିଛନ୍ତି। ଏହି ବିଲ୍ ପାସ୍ ହେଲେ ସରକାର ଭବିଷ୍ୟତରେ ୟୁପିଆଇ ଏବଂ ରୁପେ ଭଳି ଡିଜିଟାଲ୍ ପେମେଣ୍ଟରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲଗାଇବାର ଅଧିକାର ପାଇବେ।

ସରକାରୀ ସୂତ୍ର ଅନୁସାରେ, ୨୦୦୦ ଟଙ୍କାରୁ ଅଧିକ ରାଶିର ବ୍ୟକ୍ତିରୁ ବ୍ୟବସାୟୀ (P2M) ୟୁପିଆଇ କାରବାରରେ ଏମଡିଆର ଲାଗିପାରେ। ଏହି ଶୁଳ୍କ ମର୍ଚାଣ୍ଟ (ଦୋକାନୀ ଓ ବ୍ୟବସାୟୀ)ଙ୍କ ଉପରେ ଲାଗିବ, ଗ୍ରାହକଙ୍କ ଉପରେ ସିଧାସଳଖ ନୁହେଁ। ବ୍ୟକ୍ତିରୁ ବ୍ୟକ୍ତି (P2P) ଟ୍ରାନ୍ସଫର୍ ମୁକ୍ତ ରହିବ ବୋଲି ଆଶା କରାଯାଉଛି।

ପ୍ରସ୍ତାବିତ ଶୁଳ୍କ ରେଟ୍ ୦.୨୫% ରୁ ୦.୫% ମଧ୍ୟରେ ରହିପାରେ। ଏହା ମୁଖ୍ୟତଃ ବାର୍ଷିକ ଟର୍ନଓଭର ୧.୫ କୋଟି ଟଙ୍କାରୁ ଅଧିକ ଥିବା ବଡ଼ ବ୍ୟବସାୟୀଙ୍କ ଉପରେ ଲାଗିବ। ଛୋଟ ଦୋକାନୀ ଓ ଦୈନନ୍ଦିନ କିଣାବିକା ଯେପରି କ୍ଷୀର, ପନିପରିବା, ଅଟୋ କିମ୍ବା ଟ୍ୟାକ୍ସି ପେମେଣ୍ଟ ଉପରେ ପ୍ରଭାବ ପଡ଼ିବ ନାହିଁ।

ସରକାରୀ ଆକଳନ ଅନୁସାରେ, ୨୦୦୦ ଟଙ୍କାରୁ ଅଧିକ କାରବାର ମୋଟ ୟୁପିଆଇ ଟ୍ରାଞ୍ଜାକ୍ସନର ମାତ୍ର ୪ ରୁ ୫ ଶତାଂଶ, କିନ୍ତୁ ଏହା ମୋଟ ମୂଲ୍ୟର ପ୍ରାୟ ୬୫ ରୁ ୭୦ ଶତାଂଶ କଭର୍ କରେ। ଜୁଲାଇ ମାସରେ ୟୁପିଆଇରେ ୨୩.୭ ବିଲିୟନ୍ ଟ୍ରାଞ୍ଜାକ୍ସନ୍ ହୋଇଥିଲା, ଯାହାର ମୂଲ୍ୟ ୨୯.୯ ଲକ୍ଷ କୋଟି ଟଙ୍କା ଥିଲା। ଯଦି ଏହି ଶୁଳ୍କ ଲାଗୁ ହୁଏ, ତେବେ ୯୫ ଶତାଂଶ ଟ୍ରାଞ୍ଜାକ୍ସନ୍ ମୁକ୍ତ ରହିବ।

୨୦୨୦ ଜାନୁଆରୀରୁ ୟୁପିଆଇ ଓ ରୁପେରେ ଏମଡିଆର ଶୂନ୍ୟ କରାଯାଇଥିଲା ଯାହା ଦ୍ୱାରା ଡିଜିଟାଲ୍ ପେମେଣ୍ଟ ବ୍ୟାପକ ହୋଇଥିଲା। ବର୍ତ୍ତମାନ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀଙ୍କ ଖର୍ଚ୍ଚ ବହୁତ ବଢ଼ିଯାଇଥିବାରୁ ଏହି ପରିବର୍ତ୍ତନର ଆଲୋଚନା ଚାଲିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଲ୍ କେବଳ ଆଇନଗତ ବ୍ୟବସ୍ଥା ତିଆରି କରୁଛି। ଏପର୍ଯ୍ୟନ୍ତ କୌଣସି ଶୁଳ୍କ ଲାଗୁ ହୋଇନାହିଁ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସାଧାରଣ ଉପଭୋକ୍ତାଙ୍କ ପାଇଁ ୟୁପିଆଇ ବର୍ତ୍ତମାନ ପରି ମୁକ୍ତ ରହିବ।