ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଜନସେବାର ସେ ଥିଲେ ଅନନ୍ୟ ଉଦାହରଣ: ବିଜେଡି

ମେଗା ରକ୍ତଦାନ ଶିବିରରେ ୪୧୭ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର, ୦୬/୦୮: ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସୁଶାନ୍ତ ସିଂହ ସ୍ମୃତି କମିଟି ତରଫରୁ ବରଗଡ଼ ଜିଲ୍ଲାର ସୋହେଲାର ହଳଦୀପାଲି ସ୍ଥିତ ପଡ଼ିଆରେ ଆୟୋଜିତ ସଭାରେ ଜନନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଜନସେବା ପ୍ରତି ତାଙ୍କର ନିଷ୍ଠା, ସାଧାରଣ ଲୋକଙ୍କ ସହ ତାଙ୍କର ଆତ୍ମୀୟ ସମ୍ପର୍କ ସଦାସର୍ବଦା ସ୍ମରଣୀୟ ହୋଇ ରହିବ । ଉପସ୍ଥିତ ନେତା ଜନତା ସମସ୍ତେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରି ପ୍ରାର୍ଥନା କରିଥିଲେ । ସେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ଜନନେତା ଓ ସୁସଙ୍ଗଠକ ଭାବେ ପରିଚୟ ରହିଛି । ଯାହାଙ୍କ ଜନସେବା କରିବା ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ଥିଲା । ଜଣେ ସାଲିସ ବିହୀନ ରାଜନେତା ଭାବରେ ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ତିନି ଥରର ବିଧାୟକ ଥିଲେ । ଏହାସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ଅନେକ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଅନେକ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଅପୂରଣୟ କ୍ଷତି । ୧୭ ମାର୍ଚ୍ଚ ୧୯୭୩ ରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଏକ ଅତି ସାଧାରଣ ଘରେ ଜନ୍ମ ଗ୍ରହଣ କରିଥିଲେ । ଦୁର୍ନୀତି ବିରୁଦ୍ଧରେ ଲଢ଼ିବାର ପ୍ରବୃତ୍ତି ତାଙ୍କୁ ରାଜନୀତି ଭିତରକୁ ଟାଣି ଆଣିଥିଲା । ସଂଘର୍ଷରୁ ସଫଳତା ପାଇ କ୍ରମାଗତ ୩ ଥର ବିଧାୟକ ହୋଇଥିଲେ । ଗୁରୁତର ଅସୁସ୍ଥତା ସତ୍ତ୍ୱେ ମେଡିକାଲ ବେଡ଼ରୁ ମଧ୍ୟ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଥିଲେ । ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ବିକାଶ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ସ୍ୱର୍ଗତ ଶ୍ରୀ ସିଂହ ଲୋକଙ୍କ ଅଗାଧ ଆସ୍ଥା ଓ ଭଲପାଇବା ଅର୍ଜନ କରିଥିଲେ । ତାଙ୍କର ସମଗ୍ର ରାଜନୈତିକ ଜୀବନରେ ସେ କୃଷକ, ଶ୍ରମିକ, ଯୁବବର୍ଗ, ମହିଳା ଓ ସମାଜର ଅବହେଳିତ ବର୍ଗର ସ୍ୱାର୍ଥ ପାଇଁ ସର୍ବଦା ସଂଗ୍ରାମ କରିଥିଲେ । ତାଙ୍କର ସରଳତା, ସାଧାସିଧା ଜୀବନଶୈଳୀ, ସାଂଗଠନିକ ଦକ୍ଷତା ଏବଂ ନିଷ୍ଠାପର ଜନସେବା ତାଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଅତ୍ୟନ୍ତ ସମ୍ମାନିତ ନେତାର ପରିଚୟ ଦେଇଥିଲା । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫,୦୦୦ରୁ ଅଧିକ ଲୋକେ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପ ସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର, ଶ୍ରୀମତି ସୁଜାତା ରାଉତ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ବ୍ରଜ କିଶୋର ପ୍ରଧାନ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ସଞ୍ଜୟ ଦାସ ବର୍ମା, ଶ୍ରୀ ସରୋଜ ମେହେର, ଶ୍ରୀ ଯୋଗେଶ ସିଂ, ଶ୍ରୀ ମନ୍ମଥ ରାଉତରାୟ, କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ରଜନୀକାନ୍ତ ସିଂ, ଶ୍ରୀ ରମା ରଞ୍ଜନ ବଳିୟାର ସିଂ, ଶ୍ରୀ ସତ୍ୟଜିତ ମିଶ୍ର, ଶ୍ରୀ ଲକ୍ଷ୍ମଣ ମେହେର , ଶ୍ରୀ ଅଳକା ମହାନ୍ତି, ଶ୍ରୀ ମହିଧର ରଣା, ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଶ୍ରୀ ସନତ ଗଡତିଆ, ଶ୍ରୀ ଇରାଶିସ ଆଚାର୍ଯ୍ୟ, ଡ ଅରୁପାନନ୍ଦ୍ ସାହୁ, ଡ ପ୍ରଭାସ ସିଂ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଶ୍ରୀ ସୁବ୍ରତ ତରାଇ, ଶ୍ରୀମତି ରୀତା ସାହୁ, ଶ୍ରୀମତି ବର୍ଷା ସିଂ ବରିହା, ଶ୍ରୀମତି ଟୁକୁନି ସାହୁ, ଶ୍ରୀ ନଳିନୀ ପ୍ରଧାନ, ଶ୍ରୀକାନ୍ତ ସାହୁ, ଶ୍ରୀମତି ରାଜଶ୍ରୀ ମଲ୍ଲିକ, ଶ୍ରୀ ଅଧିରାଜ୍ ପାଣିଗ୍ରାହୀ, ଶ୍ରୀ ଜୟ ଢୋଲକିଆ, ଶ୍ରୀ ସାଧୁ ଚରଣ ନେପାକ, ଶ୍ରୀ କଳିକେଶ ସିଂ ଦେଓ, ଶ୍ରୀମତି ଅଳକା ମହାନ୍ତି, ଶ୍ରୀ ସୁଶାନ୍ତ ମିଶ୍ର, ଶ୍ରୀ ଲଳିତ ନାଏକ, ପଦ୍ମଶ୍ରୀ ହଳଧର ନାଗ, ଶ୍ରୀ ନିହାର ରଞ୍ଜନ ବେହେରା, ଶ୍ରୀ ମାନିନୀ ଭୋଇ, ନିଲକୁମାରି ନାଏକ, ଶ୍ରୀ ସୁରେଶ ରାଉତ ରାୟ, ଶ୍ରୀ ଦୁର୍ଗା ସାମନ୍ତ ରାୟ, ଶ୍ରୀ ଦିଲ୍ଲୀପ ବାରିକ, ଶ୍ରୀ ନାରାୟଣ ଭେଶ୍ରା, ଶ୍ରୀ ରାହୁଲ ସାହୁ, କଳ୍ପନା ମାଝୀ, ଭୀଷ୍ମ ଦେବ ସରାଫ, ଅଶ୍ୱିନୀ ତ୍ରିପାଠୀ, ପ୍ରଦୁ୍ୟମ୍ନ ତ୍ରିପାଠୀ, ଦେବେନ୍ଦ୍ର ସାହୁ, କମ୍ଭୁ ଭୂଷଣ ସିଂ, ଆକାଶ ପଣ୍ଡା, କିଶୋର ଦେବତା, ନୀତିଶ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କୀର୍ତ୍ତି ଚନ୍ଦ୍ର ଦୂଆନ୍, ରାଜେନ୍ଦ୍ର ପ୍ରସାଦ ହୋତା, ସୁରେନ୍ଦ୍ର ନାଏକ ପ୍ରମୁଖ ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି ଜନ ନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କର ଗୁଣ ଗାନ କରିଥିଲେ ।

ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଦିବଙ୍ଗତ ଜନନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ସ୍ମୃତିରେ ୪୧୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ ଶିବିରରେ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୧୭୬ ୟୁନିଟ୍, ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ୧୨୧ ୟୁନିଟ୍, ସମ୍ୱଲପୁର ରକ୍ତଭଣ୍ଡାର ଦ୍ୱାରା ୬୪ ୟୁନିଟ୍ ଏବଂ ପଦ୍ମପୁର ରକ୍ତଭଣ୍ଡାର ଦ୍ୱାରା ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୋଟ ୪୧୭ ଜଣ ସ୍ୱେଚ୍ଛାସେବୀ ରକ୍ତଦାତା ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ । ଏହି ମହାନ ରକ୍ତଦାନ ଶିବିରର ପରିଚାଳନାରେ ବରଗଡ଼ର ସଂକଳ୍ପ ପରିବାର, ନିଷ୍ଠା ପରିବାର, ସୋହେଲାର ଜେ.ଡି.ଏ. ସାମାଜିକ ଅନୁଷ୍ଠାନ, ରାଇଜ୍ ଅଫ୍ ଲାୟନ୍ ସାମାଜିକ ଅନୁଷ୍ଠାନ ଏବଂ ମାରୱାଡ଼ି ଯୁବାମଞ୍ଚର ସଦସ୍ୟ ଓ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ନିଜର ପ୍ରିୟ ନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ପାଇଁ ବହୁ ସଂଖ୍ୟକ ଲୋକ ରକ୍ତଦାନ କରିବାକୁ ଧାଡ଼ିରେ ଠିଆ ହୋଇଥିଲେ । ସମାଜସେବା ପ୍ରତି ତାଙ୍କର ଅବଦାନ ଓ ମାନବିକ ଆଦର୍ଶକୁ ସ୍ମରଣ କରି ରକ୍ତଦାନ ମାଧ୍ୟମରେ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବୋଲି ରକ୍ତଦାତା ମାନେ ମତ ପ୍ରକାଶ କରିଥିଲେ । ସମସ୍ତ ସ୍ୱଚ୍ଛାକୃତ ରକ୍ତଦାତା, ସହଯୋଗୀ ସାମାଜିକ ଅନୁଷ୍ଠାନ, ରକ୍ତଭଣ୍ଡାରର କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ ସୁଶାନ୍ତ ସିଂହ ସ୍ମୃତି କମିଟି ତରଫରୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇଥିଲେ ।