ସ୍ୱାଧୀନତା ଦିବସ ପାଇଁ ଟ୍ରାଫିକ କଟକଣା

ଗାନ୍ଧୀ ମାର୍ଗରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ମୁତୟନ ହେବେ

ଭୁବନେଶ୍ୱର, ୧୧/୦୮: ଏଥର ଦେଶ ପାଳିବାକୁ ଯାଉଛି ୮୦ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ। ମୁଖ୍ୟମନ୍ତ୍ରୀ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିବେ।

ସ୍ୱାଧୀନତା ଦିବସ ପାଇଁ ଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ମୁତୟନ ହେବେ। ୧୩ ତାରିଖରେ ଗାନ୍ଧିମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ ହେବ। ଫୁଲ୍‌ଡ୍ରେସ୍ ରିହର୍ସାଲ ପରେଡ୍ ପ୍ରସ୍ତୁତିର ସମୀକ୍ଷା କରିବେ ଡିଜିପି। ଚଳିତ ବର୍ଷ ପରେଡରେ ଭାଗ ନେଉଛନ୍ତି ମୋଟ ୫୧ଟି କଣ୍ଟିନଜେଣ୍ଟ।

ତେବେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପ୍ୟାରେଡ୍ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଭାରୀଯାନ ନିଷେଧ କରାଯାଇଛି। କେବଳ ଦୁଇଚକିଆ, ହାଲୁକା ଯାନକୁ ଅନୁମତି ମିଳିଛି। ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାଇପାରିବେ।

ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟକୁ ଯିବେ। ୧୨୦ ବାଟାଲିୟନ ଛକରୁ ରବିନ୍ଦ୍ରମଣ୍ତପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଏମ.ଏଲ.ଏ କଲୋନୀ ରାସ୍ତା ଦେଇ ୟୁନିଟ୍ -୪ ନମ୍ବର ଆଡ଼କୁ ଯିବେ। ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ ଗୁଡ଼ିକରେ ଯାନବାହାନ ଚଳାଚଳ ବନ୍ଦ ରହିବ।