ପ୍ରଖ୍ୟାତ ଶିକ୍ଷାବିତ୍ତ ଓ ଶିକ୍ଷା ପ୍ରଶାସକ ପ୍ରଫେସର ଡଃ ବିଶ୍ୱମୋହନ ମିଶ୍ରଙ୍କ ପରଲୋକ
ଡଃ ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ
ଭୁବନେଶ୍ୱର, ୧୨/୦୮: ରାଜ୍ୟର ପ୍ରଖ୍ୟାତ ଶିକ୍ଷାବିତ୍ତ, ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ଓ ଶିକ୍ଷା ପ୍ରଶାସକ ପ୍ରଫେସର ଡ ବିଶ୍ୱମୋହନ ମିଶ୍ରଙ୍କ ପରଲୋକ ଘଟିଛି। ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ଘଟିଛି। ସେ ଗତ କିଛି ସମୟ ଧରି ଅସୁସ୍ଥ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଥିଲେ। ସେ ଖଲ୍ଲିକୋଟ କଲେଜ (ବର୍ତ୍ତମାନର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ)ର ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଷ୍ଟାଫ୍ କଲେଜର ନିର୍ଦ୍ଦେଶକ ତଥା କେନ୍ଦ୍ରାପଡ଼ା କଲେଜ, ଯାଜପୁରର ଏନ୍.ସି. କଲେଜ ଓ ନୟାଗଡ଼ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅନେକ ଗବେଷକ ଉଚ୍ଚତର ଡିଗ୍ରୀ ହାସଲ କରିଥିଲେ। ପୁରୀ ଜିଲ୍ଲାର ବୀରପ୍ରତାପପୁର ଗାଁର ଏକ ସାମାଜିକ ଚେତନା ସମ୍ପନ୍ନ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଫେସର ଡ ମିଶ୍ର ପୁରୀର ଏସ୍.ସି.ଏସ୍. କଲେଜରୁ ସ୍ନାତକ ଓ ଆଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଲୋକ ପ୍ରଶାସନରେ ଡି.ଲିଟ୍ ଡିଗ୍ରୀ ପ୍ରାପ୍ତ କରିଥିଲେ। ସେ ତାଙ୍କ ସମୟର ଜଣେ ଲୋକପ୍ରିୟ ଶିକ୍ଷକ ଥିଲେ। ତାଙ୍କ ଅନେକ ଛାତ୍ରଛାତ୍ରୀ ସିଭିଲ୍ ସର୍ଭିସ୍ରେ ଯୋଗ ଦେଇ ପ୍ରାଶାସନିକ ସେବାରେ ନିୟୋଜିତ ରହିଛନ୍ତି। ସେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ମୁମ୍ବାଇରେ ତାଙ୍କ ଝିଅଙ୍କ ପାଖରେ ରହୁଥିଲେ। ଯୁବାବସ୍ଥାରେ ସେ ଜଣେ ଉଚ୍ଚକୋଟିର ସକ୍ରିୟ ବକ୍ତା ଓ ଲେଖକ ଥିଲେ। ଅନ୍ତର୍ଜାତିକ ଆଇନ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ତାଙ୍କ ବିନମ୍ରତା ଓ ଲୋକପ୍ରିୟତା ପାଇଁ ସେ ସର୍ବଦା ପରିଚିତ ଥିଲେ।ପ୍ରଫେସର ମିଶ୍ରଙ୍କ ଦୁଇଟି ସନ୍ତାନ ଅଛନ୍ତି। ଜଣେ ପୁତ୍ର ଡକ୍ଟର ସନ୍ତୃପ୍ତ ମିଶ୍ର (ବର୍ତ୍ତମାନ ରାଜ୍ୟସଭା ସଦସ୍ୟ) ଓ କନ୍ୟା ଡକ୍ଟର ଲିପ୍ସା ମିଶ୍ର (ଅବସରପ୍ରାପ୍ତ ପ୍ରଫେସର)। ତାଙ୍କ ପତ୍ନୀ ଶ୍ରୀମତୀ ସରଜୁବାଲା ମିଶ୍ର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ପରଲୋକରେ ଅନେକ ପ୍ରଶଂସକ ଓ ବିଭିନ୍ନ ଜନପ୍ରତିନିଧି ଗଭୀର ଶୋକ ପ୍ରକାଶ କରିଛନ୍ତି।