ରାଜ୍ୟର ୪ ଜିଲ୍ଲାରେ ବନ୍ୟା ସ୍ଥିତି, ୪୫ ପଞ୍ଚାୟତ ପ୍ରଭାବିତ
ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଓଡ୍ରାଫର ୧୦ ଓ NDRFର ୭ ଟିମ୍ ମୁତୟନ
ଭୁବନେଶ୍ୱର, ୧୪/୦୮: ଲଘୁଚାପଜନିତ ବର୍ଷା ଓ ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ରାଜ୍ୟର ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦେଖାଦେଇଛି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମୋଟ ୪୫ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଥିବା ନେଇ ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗ୍ରାଉଣ୍ଡରେ ଅଧିକାରୀମାନେ ସଜାଗ ରହିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୧୦ଟି ଓଡ୍ରାଫ ଟିମ୍ ଓ ୭ଟି ଏନ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଏହାବ୍ୟତୀତ ଆଉ ୪ଟି ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ଏସ୍ଆର୍ସିଙ୍କ ସୂଚନା ଅନୁସାରେ, ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢ଼ିଛି। ବୈତରଣୀ ନଦୀର ବନ୍ୟା ଜଳ ଯୋଗୁଁ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା ଘାଇ ଦେଇ ମଧ୍ୟ ବନ୍ୟା ଜଳ ଗାଁ ଓ ତଳିଆ ଅଞ୍ଚଳକୁ ପ୍ରବେଶ କରିଥିବା ସୂଚନା ମିଳିଛି।
ବାଲେଶ୍ୱର ଜିଲ୍ଲାର ସଦର ଓ ରେମୁଣା ଅଞ୍ଚଳର ୧୫ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି। ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ଉତ୍ତର ଓଡ଼ିଶାର କିଛି ନଦୀରେ ଜଳସ୍ତର ଅଧିକ ରହିଛି। ଅନ୍ୟପଟେ ଯାଜପୁରରେ ମଧ୍ୟ ଜଳସ୍ତର ବଢ଼ିଥିବା ବେଳେ ଆନନ୍ଦପୁରରେ ବୈତରଣୀ ନଦୀର ଜଳ ବିପଦ ସଙ୍କେତ ଉପରେ ରହିଥିବା କୁହାଯାଇଛି।
ଏହାସହ ଜଳକା, ସାଳନ୍ଦୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଆଗକୁ ଆହୁରି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ତେଣୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ଏସ୍ଆର୍ସି କହିଛନ୍ତି।
ମୟୂରଭଞ୍ଜରେ ମଧ୍ୟ ବୁଢାବଳଙ୍ଗ ନଦୀର ଜଳ ବଢ଼ିବା ଯୋଗୁଁ ସ୍ଥିତି ପ୍ରଭାବିତ ହୋଇଛି। ବୁଢାବଳଙ୍ଗର ବନ୍ୟା ଜଳ ବାରିପଦା ସହରର କିଛି ଅଞ୍ଚଳକୁ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି।
ବନ୍ୟା ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନକୁ ସଜାଗ ରଖାଯାଇଛି। ସ୍ଥିତି ଉପରେ ନିରନ୍ତର ନଜର ରହିଥିବା ବେଳେ ଆବଶ୍ୟକତା ଅନୁସାରେ ଉଦ୍ଧାରକାରୀ ଦଳ ଓ ଅଧିକାରୀଙ୍କୁ ମୁତୟନ କରାଯିବ। ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ ସ୍ପଷ୍ଟ କରିଛନ୍ତି।