ଟ୍ରାଫିକରେ ୨୩ଟି ଗାଡ଼ିକୁ ଧକ୍କା ଦେଲା ଟ୍ରକ; ୧୪ ଜଣ ମୃତ

ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଆହତ

ଆବୁଧାବି, ୧୩/୧୧: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ଫୁଜୈରାହରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ଫୁଜୈରାହ ସହରର ପ୍ରବେଶ ପଥ ନିକଟସ୍ଥ ଶେଖ୍ ଖଲିଫା ବିନ୍ ଜାଏଦ୍ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ଏହାପରେ ଟ୍ରକ୍‌ଟି ଓଲଟି ପଡ଼ିବା ସହ ଟ୍ରାଫିକ୍ ଭିଡ଼ ଯୋଗୁଁ ରାସ୍ତାରେ ଅଟକି ରହିଥିବା ୨୩ଟି ଗାଡ଼ିକୁ ଧକ୍କା ଦେଇଥିଲା।

ଏହି ଧକ୍କା ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତଗତିରେ ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯିବାରୁ ପରିସ୍ଥିତି ଅଧିକ ଭୟଙ୍କର ହୋଇପଡ଼ିଥିଲା। ଏହି ଦୁର୍ଘଟଣାରେ ମୋଟ ୨୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇପଡ଼ିଥିବା ବେଳେ ଏଥିରେ ୧୮ଟି କାର୍ ଏବଂ ୫ଟି ଟ୍ରକ୍ ଥିଲା।

ଏହି ଦୁର୍ଘଟଣାରେ ମୋଟ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣ ଚିକିତ୍ସା ପରେ ଡିସଚାର୍ଜ ହୋଇଥିବାବେଳେ ଅନ୍ୟ ୧୫ ଜଣ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ଆହତଙ୍କ ମଧ୍ୟରେ ୟୁଏଇ, ଓମାନ, ଭାରତ, ବ୍ରାଜିଲ, ପାକିସ୍ତାନ, ଜୋର୍ଡାନ ଏବଂ ଇଜିପ୍ଟର ନାଗରିକ ରହିଛନ୍ତି। ମୃତକଙ୍କ ମଧ୍ୟରେ ୟୁଏଇ ନାଗରିକଙ୍କ ସହ ଭାରତୀୟ ମଧ୍ୟ ଅଛନ୍ତି। କିଛି ମୃତକଙ୍କ ପରିଚୟ ଜଣାପଡ଼ିନଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବା ଦାବି କରାଯାଇଛି।