କଲ୍ୟାଣ ସିଂହପୁର, ୧୩/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ଦଳେଇ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ।
ସାହିତ୍ୟ ବିଭାଗରୁ ମନୋନୀତ ହୋଇଥିବା ତାପସ କୁମାର ଦଳାଇ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ , ୟୁନିଟ୍ -୩ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଗଲା । ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମହୋଦୟ ଏବଂ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ , ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏମ୍ ତିରୁମାଲା ନାୟକ, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ । ଏଥିରେ ଜିଲ୍ଲାର ଥେରୁବାଲି ଇମ୍ଫାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନୀତା ହୋତା ସାମାଜିକ ବିଜ୍ଞାନ ତରଫରୁ ମଧ୍ୟ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଏହି ପୁରସ୍କାର ପାଇବା ପଛରେ ମାଆ ବାପା ଓ ଗୁରୁଜନ ମାନଙ୍କ ଆଶିର୍ବାଦ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ଙ୍କ ଭଲ ପାଇବା ପାଇଁ ସଫଳତା ହାସଲ କରିଥିବା ଶିକ୍ଷକ ତାପସ କୁମାର ଦଳେଇ କହିଛନ୍ତି । ତାପସ ଙ୍କ ସଫଳତା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି, ସହ ଶିକ୍ଷକ ଶିକ୍ଷୟତ୍ରୀ ସମେତ ଚାରିଆଡୁ ଶୁଭେଚ୍ଛା ର ସୁଅ ଆସୁଥିବା ଜଣାପଡିଛି।