ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ମନୋନୀତ ହେଲେ ରାୟଗଡ଼ାର ଝିଅ ମୌସୁମୀ ମାଝୀ

ପଲମା ଉଚ୍ଚ ବିଦ୍ୟାଳୟ ଓ କଲ୍ୟାଣସିଂହପୁର ବ୍ଲକ ପାଇଁ ଆଣିଲେ ଗୌରବ, ଓଡ଼ିଶା ଦଳ ସହ ମଧ୍ୟପ୍ରଦେଶ ଗ୍ରସ୍ତ

କଲ୍ୟାଣସିଂହପୁର, ୧୩/୧୧(ନିପ୍ର ): ଦୃଢ଼ ଇଚ୍ଛାଶକ୍ତି ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସଫଳତାର ନୂଆ ଶିଖର ଛୁଇଁବାକୁ ଯାଉଛନ୍ତି ରାୟଗଡ଼ା ଜିଲ୍ଲାର ଝିଅ ମୌସୁମୀ ମାଝୀ। ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇ ସେ ଜିଲ୍ଲା ସମେତ କଲ୍ୟାଣସିଂହପୁର ବ୍ଲକ ଓ ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପଲମା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୌସୁମୀ ନିଜର କ୍ରୀଡ଼ା ପ୍ରତିଭା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଜାତୀୟ ସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ରାୟଗଡ଼ା ଜିଲ୍ଲାର ପ୍ରଥମ ମହିଳା ଧାବିକା ଭାବେ ଏଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବାରୁ ତାଙ୍କର ଏହି ସଫଳତାକୁ ନେଇ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ଆସନ୍ତା ୧୯ ତାରିଖରେ ମୌସୁମୀ ଓଡ଼ିଶା ଦଳ ସହିତ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିବେ। ସେଠାରେ ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିବେ। ମୌସୁମୀଙ୍କ ଏହି ସଫଳତା ପଛରେ ତାଙ୍କର ନିୟମିତ ଅଭ୍ୟାସ ଅଧ୍ୟବସାୟ ଓ କ୍ରୀଡ଼ା ପ୍ରତି ରହିଥିବା ଆଗ୍ରହ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତାଙ୍କର ଏହି ସଫଳତା ପଲମା ଉଚ୍ଚ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି। ମୌସୁମୀ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାୟଗଡ଼ା ଜିଲ୍ଲା ଓ ଓଡ଼ିଶାର ଗୌରବ ବଢ଼ାନ୍ତୁ ବୋଲି ଅଞ୍ଚଳବାସୀ ଶିକ୍ଷକ ଓ ଶୁଭେଚ୍ଛୁମାନେ ଆଶା ପ୍ରକାଶ କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି।