ବନ୍ୟା ପ୍ରଭାବିତ ଜିଲ୍ଲାକୁ ୩ ବରିଷ୍ଠ ନେତାଙ୍କୁ ପଠାଇଲା ବିଜେଡି
ନବୀନଙ୍କ ନିର୍ଦ୍ଦେଶରେ ବନ୍ୟାଞ୍ଚଳ ଗସ୍ତ କରିବେ ୩ ବରିଷ୍ଠ ନେତା
ଭୁବନେଶ୍ୱର, ୧୭/୦୮: ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ନଜରରେ ରଖି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଦଳୀୟ ନେତାଙ୍କୁ ନିୟୋଜିତ କରିଛି ବିଜେଡ଼ି। ବିଶେଷକରି ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାରୁ ତିନିଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।
ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଯାଜପୁର, ଡା. ଅରୁଣ କୁମାର ସାହୁଙ୍କୁ ଭଦ୍ରକ ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ଦାୟିତ୍ୱ ପାଇଥିବା ନେତାମାନେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବେ। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁ ଭାବେ ଆଗେଇ ନେବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ରହିଛି।