ଜଗନ୍ନାଥପୁର ପିଏମ୍ ଶ୍ରୀ ହାଇସ୍କୁଲରେ ପୋଲିସ ପକ୍ଷରୁ ସାଇବର ସଚେତନତା ଶିବିର
ସଚେତନତା ହିଁ ସାଇବର ଠକେଇରୁ ବର୍ତ୍ତିବାର ଏକମାତ୍ର ଉପାୟ
କଲ୍ୟାଣସିଂହପୁର, ୧୬/୦୮ (ନିପ୍ର) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଅଜିତ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ ଏବଂ ଏହାର ପ୍ରତିକାର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।
ବର୍ତ୍ତମାନର ଡିଜିଟାଲ ଯୁଗରେ ଅନଲାଇନ୍ ଶିକ୍ଷା, ମୋବାଇଲ୍ ଆପ୍ ଏବଂ ସୋସିଆଲ ମିଡିଆ ଦୈନନ୍ଦିନ ଜୀବନର ମୁଖ୍ୟ ଅଂଶ ପାଲଟିଥିବାରୁ ଏହାର ସୁରକ୍ଷିତ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ଏହି ଅବସରରେ ସାଇବର ବୁଲିଂ ଅନଲାଇନ୍ ଆର୍ଥିକ ଠକେଇ, ସାର୍ବଜନୀନ ୱାଇ-ଫାଇ ବ୍ୟବହାର ବେଳେ ସତର୍କତା, ସୋସିଆଲ ମିଡିଆ ସୁରକ୍ଷା ତଥା ନିଜର OTP ଏବଂ PIN ର ଗୋପନୀୟତା ରକ୍ଷା କରିବା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା। ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖି ପରିଚୟ ଚୋରି ଏବଂ ମାନସିକ ଚାପରୁ ମୁକ୍ତ ରହି ପାଠପଢ଼ାରେ ମନୋନିବେଶ କରିବାକୁ ପରାମର୍ଶ ଦିଆଯାଇଥିଲା। ସଚେତନତା ହିଁ ସାଇବର ଠକେଇରୁ ବର୍ତ୍ତିବାର ଏକମାତ୍ର ଉପାୟ ବୋଲି ଥାନା ଅଧିକାରୀ ଅଜିତ ପରିଡା ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।