ପବିତ୍ର ଶ୍ରାବଣ ତୃତୀୟ ସୋମବାର ଓ ସିଂହ ସଂକ୍ରାନ୍ତି
କଲ୍ୟାଣସିଂହପୁରର ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା
କଲ୍ୟାଣସିଂହପୁର, ୧୭/୦୮ (ନିପ୍ର): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁ ତଥା କାଉଡ଼ିଆ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଏହି ପବିତ୍ର ଦିନରେ ବାବା ପଞ୍ଚମୁଖେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଙ୍କ ଭିଡ଼ ଦେଖିବା କୁ ମିଳିଥିଲା । ଏହି ଉପଲକ୍ଷେ ଭକ୍ତ ଓ କାଉଡ଼ିଆମାନଙ୍କ ସୁବିଧା ନିମନ୍ତେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭବ୍ୟ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବ୍ଲକ ସଦର ମହକୁମା ପୁରୁଣା ଡାକ୍ତରଖାନା ନିକଟସ୍ଥ ମା’ ଦୁର୍ଗା ମନ୍ଦିର, ଜଗନ୍ନାଥ କଲୋନୀ ନିକଟରେ ଥିବା ହନୁମାନ ମନ୍ଦିର ଏବଂ କଲ୍ୟାଣସିଂହପୁର ଟାଉନ୍ ମୁଖ୍ୟ ହନୁମାନ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଛି। ସକାଳୁ ପୂଜାର୍ଚ୍ଚନା ସାରିବା ପରେ କାଉଡ଼ିଆ ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହିତ ପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ମନ୍ଦିର କମିଟି, ପୂଜକ ଏବଂ ଗ୍ରାମର ଯୁବକମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଧାର୍ମିକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।