ଲୋୟର ପିଏମ୍‌ଜିରେ ଗର୍ଜିଲା ଅନଲାଇନ୍ ଚାଳକ ମିଳିତ ମଞ୍ଚ

ତୃତୀୟ ଦିନରେ OLA, Uber, Rapido ଡ୍ରାଇଭରଙ୍କ ଆନ୍ଦୋଳନ

ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅଟୋ, ବାଇକ୍‌ ରଖି ଆନ୍ଦୋଳନ

ଭୁବନେଶ୍ୱର, ୧୯/୦୮: ଭୁବନେଶ୍ୱରରେ ଅନଲାଇନ୍ ସେବା ଯୋଗାଉଥିବା ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ବୁଧବାର ଲୋୟର ପିଏମ୍‌ଜିରେ ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଅଟୋ ଓ ଗାଡ଼ି ରଖି ଚାଳକମାନେ ନିଜ ଦାବି ନେଇ ପ୍ରତିବାଦ କରିଛନ୍ତି।

ଏହି ଆନ୍ଦୋଳନରେ Ola, Uber ଓ Rapido ଭଳି ଅନଲାଇନ୍ ପ୍ଲାଟଫର୍ମ ସହ ଜଡ଼ିତ ଚାଳକମାନେ ସାମିଲ ହୋଇଛନ୍ତି। ଚାଳକମାନଙ୍କ ପକ୍ଷରୁ ଏକାଧିକ ଦାବି ନେଇ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି। ଆନ୍ଦୋଳନର ନେତୃତ୍ୱ ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍ ନେଉଥିବା ସୂଚନା ମିଳିଛି। ଚାଳକମାନେ ପ୍ରାୟ ୩୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି।

ଚାଳକମାନଙ୍କ ମୁଖ୍ୟ ଦାବି ମଧ୍ୟରେ ଯାତ୍ରା ପାଇଁ ନିର୍ଦ୍ଧାରିତ ଭଡ଼ା ବ୍ୟବସ୍ଥା, ଇନ୍ଧନ ଦର ବୃଦ୍ଧି ଅନୁସାରେ ଭଡ଼ା ସଂଶୋଧନ ଏବଂ ଚାଳକଙ୍କ ଆୟକୁ ପ୍ରଭାବିତ କରୁଥିବା କମିଶନ୍ ବ୍ୟବସ୍ଥା ନେଇ ପରିବର୍ତ୍ତନ ଭଳି ପ୍ରସଙ୍ଗ ରହିଛି। ଏହା ସହ ଚାଳକଙ୍କ ଆକାଉଣ୍ଟକୁ ହଠାତ୍ ବ୍ଲକ୍ ନକରିବା, ଅଭିଯୋଗ ସମାଧାନ ପାଇଁ ଓଡ଼ିଶାରେ ଅନଲାଇନ୍ କ୍ୟାବ୍ କମ୍ପାନୀଗୁଡ଼ିକର ସ୍ଥାୟୀ କାର୍ଯ୍ୟାଳୟ ରହିବା ଏବଂ ନୂଆ ଗାଡ଼ି ଅନବୋର୍ଡିଂ ଉପରେ ନିୟନ୍ତ୍ରଣ ଭଳି ଦାବି କରିଛନ୍ତି।

ଟ୍ରାଫିକ୍ ଜାମ୍‌ରେ ଅଧିକ ସମୟ ଅଟକିଲେ ଚାଳକଙ୍କୁ କ୍ଷତିପୂରଣ, ଯାତ୍ରୀଙ୍କ ଦ୍ୱାରା ଶେଷ ସମୟରେ ବୁକିଂ ବାତିଲ କିମ୍ବା ଅଧିକ ସମୟ ଅପେକ୍ଷା କରାଇଲେ ଉଚିତ ପାରିଶ୍ରମିକ ଦେବା ଭଳି ଦାବି ମଧ୍ୟ ଚାଳକମାନଙ୍କ ପକ୍ଷରୁ ଉଠାଯାଇଛି।

ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରରେ ଅନଲାଇନ୍ ଅଟୋ ଓ କ୍ୟାବ୍ ସେବା ଉପରେ ପ୍ରଭାବ ପଡ଼ିଛି। ବିଶେଷକରି ଅଫିସ୍, ଶିକ୍ଷାନୁଷ୍ଠାନ, ରେଳ ଷ୍ଟେସନ୍ ଓ ବିମାନବନ୍ଦର ଯାତାୟାତ ପାଇଁ ଆପ୍‌ ଭିତ୍ତିକ ଯାନ ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି।

ସୋସିଆଲ୍ ମିଡିଆରେ ମଧ୍ୟ ଭୁବନେଶ୍ୱରର ଯାତ୍ରୀମାନେ ଅନଲାଇନ୍ ଅଟୋ ଓ କ୍ୟାବ୍ ମିଳୁନଥିବା ନେଇ ଅସୁବିଧା ପ୍ରକାଶ କରିଛନ୍ତି। କିଛି ଯାତ୍ରୀ ବିକଳ୍ପ ଭାବେ ଆମ ବସ୍ ସେବା ଉପରେ ନିର୍ଭର କରୁଥିବା କହିଛନ୍ତି।

ଲୋୟର ପିଏମ୍‌ଜିରେ ଚାଳକମାନଙ୍କ ଧାରଣା ଫଳରେ ଯାତାୟାତ ଉପରେ ପ୍ରଭାବ ପଡ଼ୁଛି। ଚାଳକମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ନେଇ ଅଡ଼ି ରହିଥିବା ସୂଚନା ମିଳିଛି। ଫଳରେ ଅନଲାଇନ୍ ଯାତାୟାତ ସେବା କେବେ ସ୍ୱାଭାବିକ ହେବ, ତାହା ନେଇ ଯାତ୍ରୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି।