ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣା

୭ ମୃତ, ମୃତକଙ୍କ ମଧ୍ୟରେ ଅଛନ୍ତି ଗୁଇନ୍ଦା ମୁଖ୍ୟ

କେନିୟା, ୨୦/୦୮: କେନିଆରେ ଏକ ଭୟଙ୍କର ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପର୍ଯ୍ୟଟକ ଓ ଜଣେ ପାଇଲଟ୍ ଥିଲେ। କେନିଆର ସାମ୍ବୁରୁ କାଉଣ୍ଟିର ମାଉଣ୍ଟ ଓଲୋଲୋକୱେ ନିକଟରେ ଏହି ଦୁର୍ଘଟଣା ଘଟିଛି।

କେନିଆ ସିଭିଲ୍ ଏଭିଏସନ୍ ଅଥରିଟି (KCAA) ଅନୁସାରେ, ୟୁରୋକପ୍ଟର EC130 B4 ହେଲିକପ୍ଟରଟି ସକାଳ ପ୍ରାୟ ୯ଟା ୧୩ ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଲୋଇସାବା କନ୍ଜରଭାନ୍ସିରୁ ଉଡ଼ାଣ ଆରମ୍ଭ କରି ଏୱାସୋ ନ୍ୟାରୋ ଅଞ୍ଚଳ ଅଭିମୁଖେ ଯାଉଥିଲା। ଏହି ଅଞ୍ଚଳ କେନିଆର ପ୍ରମୁଖ ସାଫାରି ଓ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ନିଆଁ ଓ ଧୂଆଁ ଦେଖାଯାଇଥିଲା। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ହେଲିକପ୍ଟରଟି ଖସିପଡ଼ିଥିବାରୁ ଉଦ୍ଧାର ଓ ମୃତଦେହ ଖୋଜାଖୋଜି ପ୍ରକ୍ରିୟାରେ ସମସ୍ୟା ହୋଇଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରେ ଟେଲିମୁଣ୍ଡୋ ସହ ଜଡ଼ିତ ବରିଷ୍ଠ ଟିଭି ଏକ୍ଜିକ୍ୟୁଟିଭ୍ ଜୋସେ ଆଲବର୍ଟୋ ସୁଆରେଜ୍ ମଧ୍ୟ ଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ଇକ୍ୱାଡୋରର ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ମିଚେଲ୍ ସେନ୍ସି-କଣ୍ଟୁଗି ଓ ତାଙ୍କ ପତ୍ନୀ ଷ୍ଟେଫାନି ହୋଲିହାନ୍ ମଧ୍ୟ ଥିବା ସୂଚନା ମିଳିଛି।

ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନିଆର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲିକପ୍ଟର କାହିଁକି ନିୟନ୍ତ୍ରଣ ହରାଇଲା କିମ୍ବା କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।