ପାକିସ୍ତାନ ଦୂତାବାସ ବାହାରେ ବୁଲିଲା ବୁଲଡୋଜର

ଯେସାକୁ ତେସା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ, ୨୦/୦୮: ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସ ବାହାରେ ଥିବା କିଛି ଅନଧିକୃତ ନିର୍ମାଣ ଓ ବ୍ୟାରିକେଡ୍ ହଟାଇ ଦିଆଯାଇଛି। ଅଧିକାରୀଙ୍କ ଅନୁସାରେ, ଦୂତାବାସ ପାଇଁ ଅନୁମୋଦିତ ସୀମା ବାହାରେ ଥିବା କିଛି ଭିତ୍ତିଭୂମିକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଭାରତୀୟ ହାଇକମିଶନ ବାହାରେ ସୁରକ୍ଷା ବ୍ୟାରିକେଡ୍ ହଟାଯିବାର ତିନି ଦିନ ପରେ ହୋଇଛି।

ରିପୋର୍ଟ ଅନୁସାରେ, ଦିଲ୍ଲୀରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଜେସିବି ମେସିନ୍‌ ବ୍ୟବହାର କରି ହାଇକମିଶନ ପରିସର ବାହାରେ ଥିବା କିଛି ବ୍ୟାରିକେଡ୍ ହଟାଇଛନ୍ତି। ଭିସା ସେକ୍ସନ ନିକଟରେ ଲୋକଙ୍କ ଧାଡ଼ି ପରିଚାଳନା ପାଇଁ ରହିଥିବା କିଛି ବ୍ୟବସ୍ଥା ମଧ୍ୟ ହଟାଯାଇଛି।

ଏହା ସହିତ ହାଇକମିଶନ ଚାରିପାଖରେ ଥିବା ଟ୍ରାଫିକ୍ ବୋଲାର୍ଡ ଓ ବାହ୍ୟ ବ୍ୟାରିକେଡ୍‌ଗୁଡ଼ିକୁ ମଧ୍ୟ ହଟାଯାଇଛି। ଘଟଣାସ୍ଥଳରେ ଭଙ୍ଗା ଧାତବ ରେଲିଂ, ଗେଟ୍, କଂକ୍ରିଟ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପଡ଼ିଥିବା ଦେଖାଯାଇଛି।

ଭାରତର ଏହି ପଦକ୍ଷେପର ଠିକ୍‌ ତିନି ଦିନ ପୂର୍ବରୁ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ବାହାରେ ପାକିସ୍ତାନ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟାରିକେଡ୍ ହଟାଇଥିବା ରିପୋର୍ଟ ଆସିଥିଲା।

ଏହି କାରଣରୁ ଦିଲ୍ଲୀରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ‘ଟିଟ୍-ଫର୍-ଟ୍ୟାଟ୍’ ବା ପାରସ୍ପରିକ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଭାରତୀୟ କର୍ତ୍ତୃପକ୍ଷ ଏହାକୁ ପାକିସ୍ତାନର ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଶୋଧ ବୋଲି ଆନୁଷ୍ଠାନିକ ଭାବେ କହିନାହାନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ମଧ୍ୟ ସମ୍ପର୍କ ତିକ୍ତ ରହିଛି। ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହା ପରେ ଦୁଇ ଦେଶର କୂଟନୈତିକ ସମ୍ପର୍କରେ‌ ତିକ୍ତତା ବଢ଼ିବାରେ ଲାଗିଛି।