ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘INDIA’ ବ୍ଲକର ବିକ୍ଷୋଭ
ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ରାଲିରେ ସାମିଲ
ନୂଆଦିଲ୍ଲୀ, ୦୬/୧୦: ଏସଆଇଆରକୁ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିଛନ୍ତି ବିରୋଧୀ ଦଳଗୁଡ଼ିକ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ବିରୋଧୀ ମେଣ୍ଟ INDIA ବ୍ଲକ ପକ୍ଷରୁ ଦିଲ୍ଲୀରେ ବିଶାଳ ପ୍ରତିବାଦ ଆୟୋଜିତ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏହି ରାଲିରେ ସାମିଲ ହୋଇଥିଲେ। ଅନ୍ୟ ସାଂସଦମାନେ ମଧ୍ୟ ଦଳରେ
ସଂସଦ ପରିସରରୁ ବିରୋଧୀ ସାଂସଦମାନେ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ନିର୍ବାଚନ ସଦନ ଅଭିମୁଖେ ମାର୍ଚ୍ଚ କରିଥିଲେ। ପ୍ରତିବାଦକାରୀମାନେ ‘ସେଭ୍ ଡେମୋକ୍ରାସି’ ଭଳି ବ୍ୟାନର ଧରିବା ସହ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଛନ୍ତି।
ନିର୍ବାଚନ କମିଶନ ଭବନ ନିକଟରେ ପୁଲିସ ପକ୍ଷରୁ ଏକାଧିକ ସ୍ତରରେ ବ୍ୟାରିକେଡ୍ ଲଗାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ସୁରକ୍ଷା ବ୍ୟାରିକେଡ୍ ଉପରକୁ ଚଢ଼ି ହାତରେ ଏକ ବଡ଼ ଜାତୀୟ ପତାକା ଧରିଥିଲେ।
ଦଳର ଯୋଜନା ଅନୁଯାୟୀ, ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ବ୍ଲକ୍ସ୍ତରରେ ‘ଭୋଟ୍ ବଚାଅ, ଦେଶ ବଚାଅ’ ଅଭିଯାନ କରାଯିବ। ଏଥିରେ ସାଇକେଲ୍ ଓ ମୋଟରସାଇକେଲ୍ ରାଲି ସହ ଦଳୀୟ କର୍ମୀମାନେ ପ୍ରଚାରପତ୍ର ବାଣ୍ଟିବେ। ଏହାପରେ ଅକ୍ଟୋବର ୨୫ରୁ ନଭେମ୍ବର ୨୫ ମଧ୍ୟରେ ବୁଥ୍ସ୍ତରରେ ‘ଭୋଟ୍ ବଚାଅ, ଦେଶ ବଚାଅ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ବଡ଼ ରାଲି କରିବାକୁ କଂଗ୍ରେସ ଯୋଜନା କରିଛି। ନଭେମ୍ବର ୨୫ ଓ ୨୬ରେ ଦିଲ୍ଲୀ ଆଖପାଖ ଅଞ୍ଚଳରୁ ‘ଚଲୋ ଦିଲ୍ଲୀ’ କାର୍ଯ୍ୟକ୍ରମ ଅଧୀନରେ ଛଅଟି ଅଲଗା ମାର୍ଚ୍ଚ ବାହାରିବ। ଆସନ୍ତା ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ଯୋଜନା କରୁଛି। ଦଳ ପକ୍ଷରୁ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ମଧ୍ୟ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ INDIA ମେଣ୍ଟର ସମସ୍ତ ଦଳ ଏକାଠି ହୋଇନାହାନ୍ତି। ଡିଏମ୍କେ ଓ ଆମ୍ ଆଦମୀ ପାର୍ଟି (AAP) ଏହି ମାର୍ଚ୍ଚରୁ ଦୂରେଇ ରହିଥିବା ସୂଚନା ମିଳିଛି।
ଏହି ମଧ୍ୟରେ ନିର୍ବାଚନ କମିଶନ ସମ୍ପର୍କିତ ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ବିଚାରାଧୀନ ରହିଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। କୋର୍ଟ ଜ୍ଞାନେଶ କୁମାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ସବୁବେଳେ ଶତ ପ୍ରତିଶତ ସଠିକ୍ ନୁହେଁ ବୋଲି ଦର୍ଶାଇ କୋର୍ଟ ଏହି ପର୍ଯ୍ୟାୟରେ ସିଇସିଙ୍କ ବିରୋଧରେ ତତ୍କାଳ କୌଣସି ପଦକ୍ଷେପ ନେବାକୁ ମନା କରିଥିଲେ ସୁପ୍ରିମକୋର୍ଟ।