ନୂଆଦିଲ୍ଲୀ, ୦୫/୧୦: ମସଲା ପ୍ରସ୍ତୁତକାରୀ ପ୍ରସିଦ୍ଧ କମ୍ପାନି ‘ଏଭରେଷ୍ଟ’ ର ଜିରା ପାଉଡର ଖାଇବା ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ କରିଛି ଏଫଏସଏସଆଇ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଆଇ) ପକ୍ଷରୁ ନମୁନା ପରୀକ୍ଷଣ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଗୁରୁତର ସହ ନେଇ ଏଫଏସଏସଆଇ ଉକ୍ତ ଜିରା ପାଉଡରକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଏଫଏସଏସଆଇ ପକ୍ଷରୁ ଏଭରେଷ୍ଟ ଜିରା ପାଉଡରର ନମୁନା ସଂଗ୍ରହ କରାଯାଇ ଲାବୋରେଟରୀରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଏହା ନିର୍ଦ୍ଧାରିତ ମାନଦଣ୍ଡରେ ବିଫଳ ହେବା ସହ ମାନବ ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି।
ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଫଏସଏସଆଇ ସମ୍ପୃକ୍ତ ବ୍ୟାଚ୍ର ଜିରା ପାଉଡରକୁ ବଜାରରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ କମ୍ପାନି ଏବଂ ବିକ୍ରେତାମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି। ଏଫଏସଏସଆଇ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ‘କ୍ରିଏଟିଭ୍ ବେକର୍ସ ଆଣ୍ଡ କନଫେକସନର୍ସ’ ର ଖାଦ୍ୟ ସୁରକ୍ଷା ଲାଇସେନ୍ସକୁ ସ୍ଥଗିତ କରାଯାଇଛି।
ଜିରା ପାଉଡର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ନିୟମିତ ବ୍ୟବହୃତ ହେଉଥିବା ଏକ ପ୍ରମୁଖ ମସଲା। ଏଭଳି ଏକ ନାମୀଦାମୀ ବ୍ରାଣ୍ଡର ଉତ୍ପାଦ ଅସୁରକ୍ଷିତ ବୋଲି ଜଣାପଡ଼ିବା ପରେ ଗ୍ରାହକମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ଏଫଏସଏସଆଇ ପକ୍ଷରୁ ଗ୍ରାହକମାନଙ୍କୁ ସଚେତନ ରହିବାକୁ ଏବଂ ଅସୁରକ୍ଷିତ ଘୋଷିତ ହୋଇଥିବା ଉତ୍ପାଦର ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।