ସୁନ୍ଦରଗଡ଼, ୨୦/୦୮: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ତହସିଲଦାର-କମ୍-ସବରେଜିଷ୍ଟ୍ରାର ମୁରଲୀଧର ଉର୍ମାଲ। ସନ୍ଦେହଜନକ ଭାବେ ୫ ଲକ୍ଷ ନଗଦ ଟଙ୍କା ନେଇ ଯାଉଥିବା ବେଳେ ତାଙ୍କୁ କାବୁ କରିଛି ଓଡ଼ିଶା ଭିଜିଲାନ୍ସ ଟିମ୍।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମୁରଲୀଧର ଉର୍ମାଲ ଲାଠିକଟାସ୍ଥିତ ନିଜ କାର୍ଯ୍ୟାଳୟରୁ ନିଜର ଭଡ଼ା ଗାଡ଼ି (ସ୍କୋର୍ପିଓ) ଯୋଗେ ରାଉରକେଲାସ୍ଥିତ ବାସଭବନକୁ ଫେରୁଥିଲେ। ଏହି ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଲାଠିକଟାର ରାଜବାସା ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ପାଖରୁ ନଗଦ ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା।

ଉକ୍ତ ଟଙ୍କାର କୌଣସି ସନ୍ତୋଷଜନକ ହିସାବ କିମ୍ବା ଆୟର ସଠିକ୍ ଉତ୍ସ ଦେଖାଇବାରେ ତହସିଲଦାର ବିଫଳ ହେବାରୁ ଭିଜିଲାନ୍ସ ପକ୍ଷରୁ ସମସ୍ତ ୫ ଲକ୍ଷ ଟଙ୍କା ସହ ସ୍କୋର୍ପିଓ ଗାଡ଼ିଟିକୁ ଜବତ କରାଯାଇଛି।
ଏହି ଘଟଣା ପରେ ତହସିଲଦାର ଶ୍ରୀ ଉର୍ମାଲଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।