ରାକ୍ଷୀ ପୂର୍ଣ୍ଣମୀରେ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

୧.୦୩ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର, ୨୧/୦୮: ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମହିଳାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ଟଙ୍କା। ଏକାଥରକେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି।

ଏହି ପର୍ଯ୍ୟାୟରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ପ୍ରଥମ କିସ୍ତିର ଟଙ୍କା ପାଇବେ। ଆବେଦନ ଓ ଯାଞ୍ଚ ପ୍ରକ୍ରିୟାରେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କୁ ନିୟମ ଅନୁଯାୟୀ ଏହି ରାଶି ପ୍ରଦାନ କରାଯିବ।

ଅନ୍ୟପଟେ, କୌଣସି କାରଣରୁ ପୂର୍ବ କିସ୍ତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ମହିଳାଙ୍କୁ ମଧ୍ୟ ବକେୟା ଟଙ୍କା ମିଳିବ। ଏଥିପାଇଁ ଫିଲ୍ଡ ଯାଞ୍ଚ କରାଯାଇ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ। ପଞ୍ଚମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀ ପାଇବେ ଟଙ୍କା।

‘ସୁଭଦ୍ରା’ ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ଦିଆଯାଉଛି। ରାକ୍ଷୀ ପୂର୍ଣ୍ଣମୀରେ ଟଙ୍କା ମିଳିବା ଫଳରେ ଲକ୍ଷ ଲକ୍ଷ ମହିଳା ଉପକୃତ ହେବେ।