ତହସିଲଦାରଙ୍କ ଉପରେ ଚଢ଼ାଉ ଜାରି: କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ
୧୦ ଲକ୍ଷ ନଗଦ ସହ ୨୪୧ ଗ୍ରାମ ସୁନାଗହଣା ଠାବ
ସୁନ୍ଦରଗଡ଼, ୨୧/୦୮: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍-ରେଜିଷ୍ଟ୍ରାର (OAS) ମୁରଲୀଧର ଉର୍ମାଲଙ୍କ ଉପରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଗତକାଲି ୫ ଲକ୍ଷ ଟଙ୍କାର ସନ୍ଦେହଜନକ ନଗଦ ଅର୍ଥ ସହ ଧରାପଡ଼ିବା ପରେ, ତାଙ୍କର ସୁନ୍ଦରଗଡ଼ ଓ ରାଉରକେଲାସ୍ଥିତ ବିଭିନ୍ନ ବାସଭବନରେ କରାଯାଇଥିବା ଚଢ଼ାଉ ବେଳେ ଆଉ ନଗଦ ୫.୭୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୧୦.୭୪ ଲକ୍ଷ ନଗଦ ଟଙ୍କା ଜବତ ହୋଇସାରିଛି।
ଅଧିକାରୀଙ୍କ ବିପୁଳ ଆୟବହିର୍ଭୂତ ସମ୍ପତ୍ତିର ତାଲିକା ମିଳିଛି, ଯେଉଁଥିରେ ସାମିଲ ରହିଛି:
ବିଳାସପୂର୍ଣ୍ଣ ଘର: ସୁନ୍ଦରଗଡ଼ କରମଡ଼ିହିଠାରେ ପ୍ରାୟ ୩,୭୦୦ ବର୍ଗଫୁଟର ଏକ ଦୁଇମହଲା କୋଠା ଘର।
ଜମି ଓ ପ୍ଲଟ୍: ସୁନ୍ଦରଗଡ଼ ଓ ରାଉରକେଲା ସହର ଉପକଣ୍ଠରେ ୬ଟି ଦାମୀ ପ୍ଲଟ୍।
ସୁନା ଓ ରୂପା ଗହଣା: ୨୪୧ ଗ୍ରାମ ସୁନା ଏବଂ ୬୩୫ ଗ୍ରାମ ରୂପା ଅଳଙ୍କାର।
ବ୍ୟାଙ୍କ ଓ ବୀମା ଜମା: ବ୍ୟାଙ୍କ, ଡାକଘର ଏବଂ ବିମାରେ ୬୬.୧୦ ଲକ୍ଷ ଟଙ୍କାର ସଞ୍ଚୟ।
ଗାଡ଼ି: ଗୋଟିଏ ହୁଣ୍ଡାଇ ଆଇ-୧୦ ଗ୍ରାଣ୍ଡ୍ ସ୍ପୋର୍ଟସ୍ କାର୍ ଏବଂ ୩ଟି ଦୁଇଚକିଆ ଯାନ।
ସୂଚନାଯୋଗ୍ୟ ଯେ, ଗତକାଲି ଲାଠିକଟାରୁ ରାଉରକେଲା ଫେରୁଥିବା ସମୟରେ ରାଜାବାସା ଛକ ନିକଟରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ୫ ଲକ୍ଷ ଟଙ୍କା ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଆଗକୁ ଆହୁରି ଅନେକ ଅସାଧୁ ସମ୍ପତ୍ତି ପଦାକୁ ଆସିବା ସମ୍ଭାବନା ରହିଛି।