ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
୫ମ କିସ୍ତି ବାବଦରେ ₹୫,୧୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ
ଭୁବନେଶ୍ୱର, ୨୧/୦୮: ଆସନ୍ତା ୨୮ ଅଗଷ୍ଟ ୨୦୨୬, ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବାକୁ ଥିବା ପରିପ୍ରେକ୍ଷୀରେ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓକାକ୍ (OCAC) ଟିମ୍ ଏବଂ ବ୍ୟାଙ୍କ ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ୫ମ କିସ୍ତିର ଡିବିଟି ପ୍ରଦାନ, ହିତାଧିକାରୀଙ୍କ ତାଲିକା, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସବିଶେଷ ସମୀକ୍ଷା କରିଥିଲେ।
୫ମ କିସ୍ତି ପ୍ରଦାନ ପାଇଁ ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି। ରାଖୀ ପୂର୍ଣ୍ଣିମା ଅବସରରେ ଏହି ହିତାଧିକାରୀମାନଙ୍କୁ ୫ମ କିସ୍ତି ବାବଦରେ ₹୫,୧୬୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ୫ମ କିସ୍ତିର ସୁଚାରୁ ଓ ନିର୍ବିଘ୍ନ ବଣ୍ଟନ ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିବିଟି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏବଂ ହିତାଧିକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।