ସ୍ୱାମୀଜୀଙ୍କ ଜୀବନୀ ଗ୍ରନ୍ଥ ଓ ଫଟୋଚିତ୍ର ଓଡ଼ିଶାର ୫୦,୦୦୦ ଗାଁରେ ପହଞ୍ଚାଇବା: ଧର୍ମେନ୍ଦ୍ର ପ୍ରଧାନ
'ସ୍ୱାମୀଜୀଙ୍କ ନୀତି-ଆଦର୍ଶ ଓ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ପ୍ରେରଣା'
‘ଶିକ୍ଷା, ସଂସ୍କାର ଓ ସଂସ୍କୃତିର ପ୍ରସାର କରିଥିଲେ ସ୍ୱାମୀଜୀ’
ତାଳଚେର/ଅନୁଗୋଳ, ୨୧/୦୮: ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଜୀବନୀ ଉପରେ ଏକ ପ୍ରାମାଣିକ ଗ୍ରନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ’ ପକ୍ଷରୁ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଉନ୍ମୋଚିତ ହୋଇଛି । ସ୍ୱାମୀଜୀଙ୍କ ଅନୁଯାୟୀ ଭାବେ ଆମେ ଏହି ପବିତ୍ର ଗ୍ରନ୍ଥ ଓ ତାଙ୍କର ଫଟୋଚିତ୍ରକୁ ଓଡ଼ିଶାର ୫୦,୦୦୦ ବା ସବୁ ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତାଳଚେର ଗୁରୁଜଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ଥିଲେ ଜଣେ ମହାନ ଯୁଗପୁରୁଷ, ଆଧ୍ୟାତ୍ମିକ ସାଧକ ଓ ସନାତନ ସଂସ୍କୃତିର ପ୍ରହରୀ । ତାଙ୍କର ତ୍ୟାଗ, ସେବା, ବନବାସୀ କଲ୍ୟାଣ ଓ ରାଷ୍ଟ୍ରରକ୍ଷାର ଆଦର୍ଶ ଆମ ସମାଜକୁ ସଦାସର୍ବଦା ମାର୍ଗଦର୍ଶନ ଦେବ। ସନ୍ଥ ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ବିଚାରରେ ଅନୁପ୍ରାଣିତ ହୋଇ ସ୍ୱାମୀଜୀ ନିଜ ଜୀବନକୁ ଓଡ଼ିଶାର ଜନଜାତି ଓ ବଞ୍ଚିତ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ସେ କନ୍ଧମାଳ ଓ ଫୁଲବାଣୀ ଭଳି ଦୁର୍ଗମ ଅଞ୍ଚଳରେ ଆଶ୍ରମ, ସଂସ୍କୃତ ବିଦ୍ୟାଳୟ ଓ କନ୍ୟାଶ୍ରମ ସ୍ଥାପନ କରି ଶିକ୍ଷା, ସଂସ୍କାର ଓ ସଂସ୍କୃତିର ପ୍ରସାର କରିଥିଲେ। ବେଆଇନ ଧର୍ମାନ୍ତରଣ ରୋକିବା, ଗୋ-ସୁରକ୍ଷା, ଆଧୁନିକ ଚାଷକାର୍ଯ୍ୟ ଓ ବୃକ୍ଷରୋପଣ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭର କରିବା ସହ ନିଜ ସ୍ୱଧର୍ମ ପ୍ରତି ଗୌରବ ଜାଗ୍ରତ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ। ‘ଭାଷା ଆଧାରରେ ଗଠିତ ଓଡ଼ିଶାର ଆଗାମୀ ଶତାବ୍ଦୀ ବର୍ଷ ପୂର୍ବରୁ ସ୍ୱାମୀଜୀଙ୍କ ଏହି ଶତାବ୍ଦୀ ବର୍ଷର ଆଦର୍ଶକୁ ଆତ୍ମସାତ୍ କରିବା ହିଁ ଆମର ପ୍ରାଥମିକ ଦାୟିତ୍ୱ।
ସ୍ୱାମୀଜୀଙ୍କ ପବିତ୍ର ଜନ୍ମମାଟି ଗୁରୁଜଙ୍ଗ ଗ୍ରାମକୁ ଏକ ପବିତ୍ର ‘ତୀର୍ଥକ୍ଷେତ୍ର’ ବା ‘ଐତିହ୍ୟ ଗାଁ’ ଭାବେ ଗଢ଼ିତୋଳିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ପବିତ୍ର ଭୂମିକୁ ସାମାଜିକ ସଂସ୍କାର, ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରୟୋଗଶାଳାରେ ପରିଣତ କରି ଓଡ଼ିଶାର ବଞ୍ଚିତ ବର୍ଗ, ଶିଶୁ, ମାତୃଶକ୍ତି, ଯୁବ ଓ ଚାଷୀ ଭାଇମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମାଜରେ ସ୍ୱାଭିମାନର ସହ ଜିଇଁବାର ସାମର୍ଥ୍ୟ ଦେବା ହିଁ ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସ୍ୱାମୀଜୀଙ୍କ ପ୍ରଜ୍ୱଳିତ ସେବା ଓ ସଂସ୍କାରର ଅଲିଭା ପ୍ରଦୀପ ଯୁଗ ଯୁଗ ଧରି ସମାଜକୁ ଆଲୋକିତ କରିବ ବୋଲି ଶ୍ରୀ ପ୍ରଧାନ ଦୃଢ଼ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଗୌରବମୟ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଓଡ଼ିଶାର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାଏକ, ଢେଙ୍କାନାଳ ଓ କନ୍ଧମାଳ ସାଂସଦ, ଅନୁଗୋଳ, ପାଲଲହଡା, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ଛେଣ୍ଡିପଦା ଓ ଫୁଲବାଣୀ ବିଧାୟକ ଯୋଗଦେଇଥିଲେ । ଏହାସହ କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁସନ୍ଥ, ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିବା ବେଳେ ଶ୍ରୀ ପ୍ରଧାନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପବିତ୍ର ଯଜ୍ଞାହୁତିରେ ସାମିଲ ହୋଇଥିଲେ ଏବଂ ପୂଜ୍ୟ ମହିମା ଅଲେଖ ସନ୍ଥମାନଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିଥିଲେ ।