ଆର୍‌.ଆଇ.ଡି.ଏଫ୍‌ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ

ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୧/୦୮: ନାବାର୍ଡ ସହାୟତାରେ ରାଜ୍ୟରେ ଚାଲିଥିବା ଆର୍‌.ଆଇ.ଡି.ଏଫ୍‌ (Rural Infrastructure Development Fund) ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୬୮ଟି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା ।

ଅନୁମୋଦିତ ହୋଇଥିବା ମୋଟ ୧୯୨ଟି ଆର୍‌.ଆଇ.ଡି.ଏଫ୍‌ ପ୍ରକଳ୍ପ ମଧ୍ୟରୁ ୧୨୪ଟି ପ୍ରକଳ୍ପ ସମାପ୍ତି ହୋଇଥିବାବେଳେ ବାକିଥିବା ୬୮ଟି ପ୍ରକଳ୍ପର ସ୍ଥିତି ଓ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହି ୬୮ଟି ପ୍ରକଳ୍ପ ମଧ୍ୟରେ ୪୪ଟି ସେତୁ ପ୍ରକଳ୍ପ ରହିଥିବାବେଳେ ୨୪ଟି ରାସ୍ତା ପ୍ରକଳ୍ପ ରହିଛି । ଏହି ସମୀକ୍ଷାରେ ବିଶେଷ କରି ୟୁଟିଲିଟି ସିଫଟିଂ, ଜଙ୍ଗଲ ଜମି ଅନୁମୋଦନ, ଜମି ଅଧିଗ୍ରହଣ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟର ଭିତ୍ତିଭୂମି ଓ ଜନହିତକାରୀ ପ୍ରକଳ୍ପଗୁଡ଼ିକର ଶୀଘ୍ର ପରିସମାପ୍ତି ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଦୃଷ୍ଟିରୁ ବାକିଥିବା ୬୮ଟି ଆର୍‌.ଆଇ.ଡି.ଏଫ୍‌ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ସମୀର ହୋତା, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଶାସନ ସଚିବ ଇଂ. ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ (ସେତୁ-୧) ଇଂ ପ୍ରଭାସ କୁମାର ମାଝୀ ଏବଂ ମୁଖ୍ୟଯନ୍ତ୍ରୀ (ସେତୁ-୨) ଇଂ ତପନ କୁମାର ବେହେରାଙ୍କ ସମେତ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।