ଏନଟିପିସି ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

୫ ଶ୍ରମିକ ଗୁରୁତର

ପାଲଲହଡ଼ା, ୨୨/୦୮: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳର କଣିହାଁସ୍ଥିତ ଏନଟିପିସି ପାୱାର ପ୍ଲାଣ୍ଟରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ଲାଣ୍ଟର ବଙ୍କର-ବିରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ କାମ କରୁଥିବା ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ବିସ୍ଫୋରଣରେ ଶ୍ରମିକମାନେ ଆହତ ହେବା ପରେ ପ୍ଲାଣ୍ଟ ପରିସରରେ କିଛି ସମୟ ପାଇଁ ଆତଙ୍କ ଓ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ଜଣାପଡ଼ିଛି।

ଗୁରୁତର ଆହତ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ତାଳଚେରକୁ ଏବଂ ୨ ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ନିଆଯାଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ କ’ଣ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ।