ସଚିବ ସ୍ତରୀୟ ବୈଠକ: ୨୫ ପ୍ରକଳ୍ପର ରୋଡମ୍ୟାପ ଉପରେ ଆଲୋଚନା

ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟର ରାଜସ୍ୱ ଓ ବ୍ୟୟ ସ୍ଥିତିର ସମୀକ୍ଷା

ଭୁବନେଶ୍ୱର, ୦୬/୧୦: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ବୈଠକରେ ଗତ ମାସରେ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏଥିସହିତ ରାଜ୍ୟର ବିକାଶ ସହ ଜଡ଼ିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ଲକ୍ଷ୍ୟ ହାସଲ ଦିଗରେ ନୟାଗଡ଼ ଜିଲ୍ଲାରେ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଏକ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର ସଫଳ ରୂପାୟଣ, ବିଭାଗୀୟ ସମନ୍ୱୟ ଏବଂ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ ନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି, ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟର ରାଜସ୍ୱ ଆଦାୟ ଏବଂ ବ୍ୟୟ ସ୍ଥିତିର ମଧ୍ୟ ସମୀକ୍ଷା କରାଯାଇଥିଲା। ବିଭିନ୍ନ ବିଭାଗର କାର୍ଯ୍ୟର ଅଗ୍ରଗତି, ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।