ରାୟଗଡା, ୦୬/୧୦ (ଦକ୍ଷ ବାଥ୍ରା): ଆସନ୍ତା କାଲି ୭ ତାରିଖରେ ପାଳିଥାନ୍ତେ ୩୧ତମ ଜନ୍ମଦିନ, ଡିସେମ୍ବର ମାସରେ ହୋଇଥାନ୍ତା ବାହାଘର, ବାହାଘର ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା I ସାଙ୍ଗ ସାଥି ପରିବାର ଖୁସି ଥିଲେ, ୫୦ ଦିନ ପାଇଁ ଛୁଟି ମଧ୍ୟ ମଞ୍ଜୁରୀ ହୋଇଥିଲା କିନ୍ତୁ ବିଧିର ବିଧାନ ଥିଲା ଅଲଗା I ଗତକାଲି ନାଗାଲIଣ୍ଡରେ ଶହୀଦ ହୋଇଛନ୍ତି ରାୟଗଡା ଯୁବକ ଭି ତେଜା I ସେ ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେ କାର୍ଯ୍ୟରତ ଥିଲେ I ନାଗାଲେଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ତାଙ୍କୁ ଗୁଳି ବାଜିଥିଲା I ସେଠାରେ ଟଳି ପଡ଼ିଥିଲେ ତେଜା I ଘଟଣା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ତୁରନ୍ତ ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଗତକାଲି ଖବର ରାୟଗଡାରେ ପହଁଞ୍ଚିବI ପରେ ରାୟଗଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସୂଚନାରୁ ଜଣାପଡିଛି ଶହୀଦ ତେଜା ୨୦୨୨ରେ ଭାରତୀୟ ସେନାରେ ଯୋଗଦେଇଥିଲେ I ଦୁଇ ବର୍ଷ ତଳେ ତେଜା ନିଜର ଅଙ୍ଗଦାନ କରିବା ନେଇ ଘୋଷଣାପତ୍ର ସ୍ଵାକ୍ଷରୀତ କରିଥିଲେ I ସେହି ଅନୁଯାୟୀ ତାଙ୍କର ବିଭିନ୍ନ ଅଙ୍ଗ ସେଠାକାର ସ୍ଥାନୀୟ ଡାକ୍ତରଖାନାରେ କଡା ଯାଇ ସଂରକ୍ଷିତ କରି ରଖାଯାଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି I ତେଜାଙ୍କ ଶରୀରକୁ ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯିବ I ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସନ୍ଧ୍ୟାରେ ଆଜି ରାୟଗଡା ଅଣାଯିବ ବୋଲି ସୂଚନା ମିଳିଛି I ପରିବାର ସୂଚନା ପ୍ରଦାନ କରି କହିଛନ୍ତି ଡିସେମ୍ବର ୧୦ତାରିଖ ଦିନ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା I ତେଜା ଦୀପାବଳି ଦିନ ରାୟଗଡାରେ ପହଂଚିବା କାର୍ଯ୍ୟକ୍ରମ ରହିଥିଲା I କିନ୍ତୁ ନିୟତିର ନିର୍ଦେଶ ଅଲଗା ପ୍ରକାର ରହିଥିଲା ଏବଂ ନିଜ ପାଇଁ ସୁନେଲି ସ୍ବପ୍ନ ଦେଖିଥିବା ତେଜା ଦେଶ ପାଇଁ ଶହୀଦ ହୋଇଗଲେ I ନିଜେ ଅଙ୍ଗଦାନ କରିଥିବାରୁ ସେ ଅନ୍ୟ ଜଣଙ୍କ ଜୀବନରେ ନୁଆଁ ଜୀବନ ଦେଇ ଅମର ହୋଇଯାଇଛନ୍ତି I
Next Post