ରାଷ୍ଟ୍ର ସେବାର ୨୫ ବର୍ଷ: ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ନବଭାରତ ଗଠନ

ବିପର୍ଯ୍ୟୟରୁ ବିକାଶ, ଗୁଜରାଟରୁ ଗ୍ଲୋବାଲ୍ ନେତୃତ୍ୱ

ନୂଆଦିଲ୍ଲୀ, ୦୬/୧୦: ଭାରତୀୟ ରାଜନୀତି ଓ ପ୍ରଶାସନିକ ଇତିହାସରେ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ନିରବଚ୍ଛିନ୍ନ ଶାସନ ଯାତ୍ରା (୨୦୦୧–୨୦୨୬) ଏକ ଅନନ୍ୟ ଅଧ୍ୟାୟ। ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାଠାରୁ ଆରମ୍ଭ କରି କ୍ରମାଗତ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ନେତୃତ୍ୱ ଦେବା ପର୍ଯ୍ୟନ୍ତ, ତାଙ୍କର ଏହି କାର୍ଯ୍ୟକାଳ ସଂସ୍କାର, ସାହସିକ ନିଷ୍ପତ୍ତି ଏବଂ ସାମଗ୍ରିକ ବିକାଶର ପ୍ରତୀକ ପାଲଟିଛି।

ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଭାରତକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିବାରେ ସଫଳ ହୋଇଛି l ୨୦୦୧ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେତେବେଳେ ରାଜ୍ୟ ଭୟଙ୍କର ଭୂକମ୍ପ, ମରୁଡ଼ି ଏବଂ ପ୍ରଶାସନିକ ଆହ୍ୱାନର ସମ୍ମୁଖୀନ ହେଉଥିଲା। ସେହି ବିପର୍ଯ୍ୟୟକୁ ଅବସରରେ ପରିଣତ କରି ସେ ଭୁଜ୍ ସହରର ପୁନଃନିର୍ମାଣ ସହିତ ସମଗ୍ର ରାଜ୍ୟର ଭିତ୍ତିଭୂମିକୁ ଏକ ନୂତନ ରୂପ ଦେଇଥିଲେ।

ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ‘ଜ୍ୟୋତିଗ୍ରାମ ଯୋଜନା’ ମାଧ୍ୟମରେ କୃଷି ଓ ଘରୋଇ ଫିଡରକୁ ଅଲଗା କରି ପ୍ରତି ଗାଁରେ ୨୪ ଘଣ୍ଟା ବିଜୁଳି ଯୋଗାଣ ସମ୍ଭବ ହୋଇଥିଲା। ଏହା ସହିତ ନର୍ମଦା କେନାଲ୍ ବିସ୍ତାର, ଚେକ୍ ଡ୍ୟାମ୍ ନିର୍ମାଣ ଏବଂ ଜଳ ସଂରକ୍ଷଣ ଅଭିଯାନ ମାଧ୍ୟମରେ ଶୁଷ୍କ ଗୁଜରାଟକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରାଯାଇଥିଲା। ଶିଳ୍ପାୟନ କ୍ଷେତ୍ରରେ ବିପ୍ଳବ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ ଦେଶବିଦେଶର ପୁଞ୍ଜିନିବେଶକୁ ଆକର୍ଷିତ କରିଥିଲା। ପ୍ରଶାସନିକ ସ୍ୱଚ୍ଛତା, ଉନ୍ନତ ରାସ୍ତାଘାଟ, ବନ୍ଦର ଆଧାରିତ ବିକାଶ ଏବଂ ନିରବଚ୍ଛିନ୍ନ ଶିଳ୍ପ ଅଭିବୃଦ୍ଧିକୁ ନେଇ ଗଢ଼ିଉଠିଥିବା ଏହି ‘ଗୁଜରାଟ ମଡେଲ୍’ ତାଙ୍କୁ ଜାତୀୟ ରାଜନୀତିର ଶୀର୍ଷକୁ ନେବାରେ ସହାୟକ ହୋଇଥିଲା। ୨୦୧୪ର ଐତିହାସିକ ଜନାଦେଶ ଓ କଲ୍ୟାଣକାରୀ ପ୍ରଶାସନ

୨୬ ମେ ୨୦୧୪ରେ ପ୍ରାୟ ତିନି ଦଶନ୍ଧି ପରେ କୌଣସି ଗୋଟିଏ ରାଜନୈତିକ ଦଳ ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ସରକାର ଗଢ଼ିଲା ଏବଂ ନରେନ୍ଦ୍ର ମୋଦୀ ଦେଶର ୧୪ ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ। ଶାସନଭାର ଗ୍ରହଣ କରିବା ପରେ ସେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ପ୍ରଶାସନର ମୂଳଦୁଆ ଭାବେ ଘୋଷଣା କରିଥିଲେ। ଦେଶର ସବୁଠାରୁ ଦରିଦ୍ର ବର୍ଗକୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ିବା ପାଇଁ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା। ଏହା ଅଧୀନରେ ୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇବା (Direct Benefit Transfer – DBT) ସମ୍ଭବ ହେଲା, ଯାହା ମଧ୍ୟସ୍ଥି ବ୍ୟବସ୍ଥା ଏବଂ ଦୁର୍ନୀତିକୁ ସମୂଳେ ନଷ୍ଟ କଲା। ସେହିପରି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରି ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ । ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ବୀମା ଭାବେ ଉଭା ହୋଇ କୋଟି କୋଟି ଗରିବ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେଲେ । ତାଙ୍କ ସରକାର ସମୟରେ ଗ୍ରାମାଞ୍ଚଳରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ପରିବାରଙ୍କ ଜୀବନଶୈଳୀରେ ଐତିହାସିକ ପରିବର୍ତ୍ତନ ଆସିଲା। ସେହିପରି

ଭାରତୀୟ ଅର୍ଥନୀତିକୁ ଆଧୁନିକ ଓ ସ୍ୱଚ୍ଛ କରିବା ପାଇଁ ଅନେକ କଠିନ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନେଇଥଲେ । ‘ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ’ (GST) ଲାଗୁ କରିବା ଫଳରେ ‘ଗୋଟିଏ ଦେଶ, ଗୋଟିଏ ଟିକସ’ ବ୍ୟବସ୍ଥା ସ୍ଥାପନ କରାଗଲା, ଯାହା ଦେଶର ବାଣିଜ୍ୟ କାରବାରକୁ ସରଳ କରିଛି। ଦେବାଳିଆ ସଂସ୍ଥାଗୁଡ଼ିକର ସମସ୍ୟା ସମାଧାନ ପାଇଁ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (IBC) ଏବଂ କଳାଧନ ବିରୋଧରେ ବିମୁଦ୍ରୀକରଣ (Demonetisation) ଭଳି ପଦକ୍ଷେପ ଆର୍ଥିକ ଶୃଙ୍ଖଳା ଆଣିବାରେ ସହାୟକ ହୋଇଥିଲା।

ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଭାରତରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆଣିଲା। ୟୁପିଆଇ (UPI) ଆଜି ବିଶ୍ୱର ସବୁଠାରୁ ବଡ଼ ରିଅଲ୍-ଟାଇମ୍ ପେମେଣ୍ଟ ବ୍ୟବସ୍ଥା ଭାବେ ପରିଗଣିତ। ଫଳସ୍ୱରୂପ, ସହରରୁ ଗାଁର କ୍ଷୁଦ୍ର ଦୋକାନୀ ପର୍ଯ୍ୟନ୍ତ ସମସ୍ତେ କ୍ୟାସଲେସ୍ କାରବାର ସହ ଯୋଡ଼ି ହୋଇପାରିଛନ୍ତି।

ସେହିପରି ମୋଦୀ ସରକାର ସମୟରେ ଆରମ୍ଭ ଜୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା ଯୁବପିଢ଼ିଙ୍କୁ ଉଦ୍ୟୋଗୀ ହେବାକୁ ପ୍ରେରଣା ଯୋଗାଇଛି, ଯାହା ଫଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇ ଶତାଧିକ ‘ୟୁନିକର୍ଣ୍ଣ’ ସୃଷ୍ଟି କରିପାରିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ କାଳରେ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍’ (PLI) ଯୋଜନା ମାଧ୍ୟମରେ ମୋବାଇଲ୍ ଉତ୍ପାଦନ, ଫାର୍ମାସ୍ୟୁଟିକାଲ୍ସ, ସେମିକଣ୍ଡକ୍ଟର ଏବଂ ପ୍ରତିରକ୍ଷା ଉପକରଣ ନିର୍ମାଣରେ ଦେଶ ଏକ ବଡ଼ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହୋଇଛି।

ଦେଶର ଭୌତିକ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ ବିକାଶ ଘଟିଛି l ରାଜପଥ ନିର୍ମାଣ ହାର ଦ୍ରୁତଗତିରେ ବୃଦ୍ଧି ପାଇ ସୁଦୂର ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳକୁ ସଂଯୋଗ କରିଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ସେମି-ହାଇସ୍ପିଡ୍ ଟ୍ରେନ୍ ପ୍ରଚଳନ ଏବଂ ପ୍ରାୟ ଶତପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ‘ଉଡାନ’ (UDAN) ଯୋଜନା ମାଧ୍ୟମରେ ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରା ସହଜ ହୋଇଛି ଏବଂ ଦେଶରେ ବିମାନବନ୍ଦର ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି। ମୋଦୀଙ୍କ ନେତୃତ୍ୱରେ ଭାରତର ସୁରକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆତଙ୍କବାଦ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣେଇ ଭାରତ ଉରି ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍ (୨୦୧୬) ଏବଂ ପୁଲୱାମା ଆକ୍ରମଣ ପରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ (୨୦୧୯) କରି ନିଜର ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିଲା।

ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ (୫ ଅଗଷ୍ଟ ୨୦୧୯) କରି ଜାମ୍ମୁ-କାଶ୍ମୀରକୁ ଭାରତର ମୁଖ୍ୟ ସ୍ରୋତ ସହିତ ସମ୍ପୂର୍ଣ୍ଣ ସାମିଲ କରାଗଲା, ଯାହା ଦଶନ୍ଧି ଧରି ଲାଗିରହିଥିବା ଏକ ଐତିହାସିକ ସମସ୍ୟାର ସ୍ଥାୟୀ ସମାଧାନ କଲା। ଏହା ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ତେଜସ୍ ଯୁଦ୍ଧବିମାନ, ଆଇଏନଏସ୍ ବିକ୍ରାନ୍ତ ଭଳି ବିମାନବାହୀ ଯୁଦ୍ଧପୋତ ନିର୍ମାଣ କରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରାଯାଇଛି।

କରୋନା ମହାମାରୀ ସମୟରେ ତାଙ୍କର ନେତୃତ୍ୱ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଥିଲା। ସ୍ୱଦେଶୀ ଟିକା ଉଦ୍ଭାବନ, ୨୦୦ କୋଟିରୁ ଅଧିକ ମାଗଣା ଟିକାକରଣ ଅଭିଯାନ ଏବଂ ୮୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ (PM-GKAY) କରି ସେ ଏକ ବିରାଟ ମାନବୀୟ ସଙ୍କଟକୁ ସଫଳତାର ସହ ପରିଚାଳନା କରିଥିଲେ। ମହାକାଶ ବିଜ୍ଞାନରେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଭାରତର ବୈଜ୍ଞାନିକ ସାମର୍ଥ୍ୟକୁ ବିଶ୍ୱରେ ପ୍ରମାଣିତ କରିଥିଲା। ତାଙ୍କ ଶାସନ ସମୟରେ

ସାଂସ୍କୃତିକ କ୍ଷେତ୍ରରେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା (୨୦୨୪), କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ଏବଂ କେଦାରନାଥ ଧାମର ପୁନଃନିର୍ମାଣ ମାଧ୍ୟମରେ ଭାରତୀୟ ଐତିହ୍ୟ ଓ ଆଧ୍ୟାତ୍ମିକ ଚେତନାକୁ ପୁନର୍ଜୀବିତ କରାଯାଇଛି।

ବୈଦେଶିକ ନୀତିରେ G20 ଶିଖର ସମ୍ମିଳନୀ (୨୦୨୩)ର ସଫଳ ଆୟୋଜନ ଏବଂ ଆଫ୍ରିକୀୟ ୟୁନିଅନକୁ ଏହାର ସ୍ଥାୟୀ ସଦସ୍ୟତା ପ୍ରଦାନ କରାଇ ଭାରତ ‘ଗ୍ଲୋବାଲ ସାଉଥ୍’ର ଏକ ପ୍ରମୁଖ ସ୍ୱର ଭାବେ ଉଭା ହୋଇଛି। ଯୋଗ ଦିବସଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା (ମିଶନ ଲାଇଫ୍) ପର୍ଯ୍ୟନ୍ତ ବିଶ୍ୱସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି।

୨୦୦୧ରୁ ୨୦୨୬ ମଧ୍ୟରେ କ୍ରମାଗତ ୨୫ ବର୍ଷ ଧରି ସାମ୍ବିଧାନିକ ଶୀର୍ଷ ପଦବୀରେ ରହି ସେବା କରିବା ଏକ ଅସାଧାରଣ ଉପଲବ୍ଧି। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, କଠୋର ପରିଶ୍ରମ, ଭ୍ରଷ୍ଟାଚାର ବିରୋଧରେ କଠୋର ଆଭିମୁଖ୍ୟ ଏବଂ ସାଧାରଣ ନାଗରିକଙ୍କ ସଶକ୍ତୀକରଣ ତାଙ୍କୁ ଜଣେ କର୍ମଯୋଗୀ ଶାସକ ଭାବେ ପ୍ରତିଷ୍ଠିତ କରିଛି। ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ କରିବା ଏବଂ ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ କରିବାର ଦୃଢ଼ ସଂକଳ୍ପ ସହିତ ନରେନ୍ଦ୍ର ମୋଦୀଙ୍କ ଏହି ୨୫ ବର୍ଷର ଶାସନ ଭାରତ ଇତିହାସରେ ସର୍ବଦା ସ୍ୱର୍ଣ୍ଣିମ ଯୁଗ ଭାବରେ ସ୍ମରଣୀୟ ହୋଇ ରହିବ ।