ଟ୍ରେନ୍ରେ ସୁଟକେସ୍ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର: ଓଡ଼ିଆ ଦମ୍ପତିଙ୍କୁ ଖୋଜୁଛି ତାମିଲନାଡୁ ପୋଲିସ
ହତ୍ୟାକାଣ୍ଡ ପରେ ଓଡ଼ିଶା ଫେରାର ହୋଇଯାଇଥିବା ଫୋନ୍ ଟ୍ରାକରୁ ସ୍ପଷ୍ଟ
ଚେନ୍ନାଇ, ୨୩/୦୮: ଚେନ୍ନାଇରୁ ଦିଲ୍ଲୀ ଯାଉଥିବା ତାମିଲନାଡୁ ଏକ୍ସପ୍ରେସ୍ରେ ଏକ ଲାଲ ସୁଟକେସ୍ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି। ଆଗ୍ରା କ୍ୟାଣ୍ଟ ଷ୍ଟେସନ୍ରେ ସୁଟକେସ୍ ମିଳିବା ପରେ ପୁଲିସ ଚେନ୍ନାଇରୁ ଏହାର ଟ୍ରେଲ୍ ଖୋଜିବା ଆରମ୍ଭ କରିଥିଲା। ୩୫୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ ପରେ ଓଡ଼ିଆ ସନ୍ଦିଗ୍ଧ ଦମ୍ପତିଙ୍କ ଗତିବିଧି ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି।
ଅଗଷ୍ଟ ୫ରେ ଚେନ୍ନାଇ ସେଣ୍ଟ୍ରାଲ୍ରୁ ତାମିଲନାଡୁ ଏକ୍ସପ୍ରେସ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଅଗଷ୍ଟ ୬ରେ ଟ୍ରେନ୍ଟି ଆଗ୍ରା କ୍ୟାଣ୍ଟ ଷ୍ଟେସନ୍ରେ ପହଞ୍ଚିବା ପରେ ଜେନେରାଲ୍ କୋଚ୍ରେ ଥିବା ଏକ ଲାଲ ସୁଟକେସ୍ ଭିତରୁ ଦୁର୍ଗନ୍ଧ ବାହାରୁଥିବା ଯାତ୍ରୀମାନେ ରେଳ କର୍ମଚାରୀଙ୍କୁ ଜଣାଇଥିଲେ। ସୁଟକେସ୍ ଖୋଲିବା ପରେ ତା’ ଭିତରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା।
ଏହା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଚେନ୍ନାଇ ସେଣ୍ଟ୍ରାଲ୍, ଚେନ୍ନାଇ ପାର୍କ ଓ ଗୁଡୁଭାଞ୍ଚେରୀ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ। ଫୁଟେଜ୍ରେ ଜଣେ ପୁରୁଷ ଓ ଜଣେ ମହିଳା ଲାଲ ସୁଟକେସ୍ ନେଇ ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନ୍ରେ ପହଞ୍ଚିଥିବା ଦେଖାଯାଇଥିଲା। ସେମାନେ ସୁଟକେସ୍ଟିକୁ ଟ୍ରେନ୍ର ଜେନେରାଲ୍ କୋଚ୍ରେ ରଖିବା ପରେ ନିଜେ ଷ୍ଟେସନ୍ରୁ ବାହାରି ଯାଇଥିବା ପୁଲିସ କହିଛି।
ଏହାପରେ CCTV ଫୁଟେଜ୍ ଆଧାରରେ ଦୁହିଁଜଣଙ୍କ ଗତିବିଧିକୁ ଟ୍ରାକ କରାଯାଇଥିଲା। ସେମାନେ ଚେନ୍ନାଇ ପାର୍କ ଷ୍ଟେସନ୍ ଯାଇ ସେଠାରୁ ଟ୍ରେନ୍ରେ ଗୁଡୁଭାଞ୍ଚେରୀ ଯାଇଥିବା ଏବଂ ପରେ ଅଟୋରିକ୍ସା ଯୋଗେ ମସଜିଦ୍ ଷ୍ଟ୍ରିଟ୍ ଅଞ୍ଚଳକୁ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।
CCTVରେ ଜଣାପଡ଼ିଥିଲା ଯେ, ଗୁଡୁଭାଞ୍ଚେରୀର ମସଜିଦ୍ ଷ୍ଟ୍ରିଟ୍ର ଏକ ଭଡ଼ାଘରେ ଓଡ଼ିଶାର ଦୁଇ ମହିଳା ଓ ଜଣେ ପୁରୁଷ ରହୁଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ଘରଟି ବନ୍ଦ ଥିବାରୁ ପୁଲିସ ତାଲା ଭାଙ୍ଗି ପ୍ରବେଶ କରିଥିଲା। ଏହା ପରେ ଘର ଯାଞ୍ଚ ସମୟରେ ପୁଲିସକୁ ମୃତଦେହର ଅନ୍ୟ ଅଂଶ ମିଳିଥିଲା। ଏକ ବଡ଼ ବିରିୟାନି ପାତ୍ର ଭିତରୁ ମଧ୍ୟ ମୃତଦେହର ଅଂଶ ମିଳିଥିଲା। ହେଲେ ମହିଳାଙ୍କ ମୁଣ୍ଡ ଏପର୍ଯ୍ୟନ୍ତ ମିଳିନଥିବାରୁ ପୁଲିସ ତାହାର ସନ୍ଧାନ ଜାରି ରଖିଛି।
ମୃତ ମହିଳା ଜଣକ ହେଉଛନ୍ତି ହାଇଦୁଲ ନିଶା। ସେ ତାମିଲନାଡୁର ପରମାକୁଡି ଅଞ୍ଚଳର ବାସିନ୍ଦା। ଓଡ଼ିଶାର ସନ୍ଦିଗ୍ଧ ଦମ୍ପତି ହେଲେ ମାଣିକ ଉଦ୍ଦିନ୍ ଲସ୍କର ଓ ଭାଗମତୀ ମାଜିକ୍। ସନ୍ଦିଗ୍ଧ ଦମ୍ପତିଙ୍କ ମୋବାଇଲ୍ ଫୋନ୍ ସିଗ୍ନାଲ୍ ଟ୍ରାକ୍ କରିବା ପରେ ସେମାନେ ଓଡ଼ିଶା ଆସିଥିବା ସୂଚନା ପାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ତାମିଲନାଡୁ ପୁଲିସର ତିନିଟି ଟିମ୍ ଓଡ଼ିଶା ଆସିଥିବା ସୂଚନା ମିଳିଛି। କିନ୍ତୁ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠିନାହିଁ।
ପୁଲିସ ଏବେ CCTV ଫୁଟେଜ୍, ମୋବାଇଲ୍ ଲୋକେସନ୍, ଭଡ଼ାଘରରୁ ମିଳିଥିବା ସାମଗ୍ରୀ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଘଟଣାର ଖୋଳତାଡ଼ କରୁଛି।