ଢାକା, ୨୦୮: ବାଂଲାଦେଶର ରାଙ୍ଗପୁର ସହରରେ ଏକ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଏକ ବନ୍ଦ ଘର ଭିତରୁ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ପତ୍ନୀ, ଝିଅ ଓ ୧୨ ବର୍ଷର ପୁଅ ରହିଛନ୍ତି। ଘଟଣାଟି ରାଙ୍ଗପୁର ସହରର ଦାସପାରା ଅଞ୍ଚଳରେ ଘଟିଛି।
ମୃତକମାନେ ହେଲେ ରାଙ୍ଗପୁର ଜିଲ୍ଲା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ (୬୫), ତାଙ୍କ ପତ୍ନୀ ପ୍ରୀତିଲତା ଚକ୍ରବର୍ତ୍ତୀ (୫୦), ଝିଅ ଆଗାମୀ ଚକ୍ରବର୍ତ୍ତୀ ପ୍ରାର୍ଥୀ (୨୩) ଏବଂ ପୁଅ ପ୍ରିୟମ ଚକ୍ରବର୍ତ୍ତୀ (୧୨)। ଗଣପତି ଗତବର୍ଷ ଡିସେମ୍ବର ୩୧ରେ ଶିକ୍ଷକତାରୁ ଅବସର ନେଇଥିଲେ। ଅବସର ପରେ ସେ ହୋମିଓପାଥିକ ଚିକିତ୍ସା ସହ ଜଡ଼ିତ ଥିଲେ। ତାଙ୍କ ଝିଅ ଚଳିତ ବର୍ଷ ଇଂରାଜୀରେ ମାଷ୍ଟର୍ସ ଡିଗ୍ରୀ ଶେଷ କରିଥିଲେ ଏବଂ ପୁଅ ରାଙ୍ଗପୁର ଜିଲ୍ଲା ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ।
ସୂଚନା ଅନୁସାରେ, ଗୁରୁବାର ରାତିଠାରୁ ପରିବାରର ୪ ଜଣଙ୍କ ମୋବାଇଲ ଫୋନ ବନ୍ଦ ଥିଲା। ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ, ପ୍ରୀତିଲତାଙ୍କ ସହ ଗୁରୁବାର ଅପରାହ୍ନରେ ଶେଷଥର କଥା ହୋଇଥିଲା। ଦୀର୍ଘ ସମୟ ଯୋଗାଯୋଗ ହୋଇନପାରିବାରୁ ଶନିବାର ରାତିରେ ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟ ଗେଟ୍ ବନ୍ଦ ଥିବା ଏବଂ ଘର ଭିତରେ ଆଲୁଅ ଜଳୁନଥିବା ଦେଖି ସେମାନେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ତାଲା ଖୋଲି ଘର ଭିତରକୁ ଯାଇ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା।
ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ଘରର ଭିନ୍ନ ଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତଦେହ ମିଳିଥିଲା। ପ୍ରୀତିଲତା ଓ ଆଗାମୀଙ୍କ ମୃତଦେହ ସିଡ଼ି ନିକଟରୁ, ଗଣପତିଙ୍କ ମୃତଦେହ ଛାତ ଉପରୁ ଏବଂ ପ୍ରିୟମଙ୍କ ମୃତଦେହ ଖଟ ତଳୁ ଉଦ୍ଧାର କରାଯାଇଥିଲା।
ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଘଟଣାର ଗୁରୁତ୍ୱକୁ ଦେଖି ରାଙ୍ଗପୁର ମେଟ୍ରୋପଲିଟନ ପୋଲିସ ସହିତ ସିଆଇଡି, ଡିଟେକ୍ଟିଭ୍ ବ୍ରାଞ୍ଚ (DB) ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ତଥ୍ୟ, ଘରର ପରିସ୍ଥିତି ଓ ପରିବାରର ଗତିବିଧି ଆଧାରରେ ତଦନ୍ତ ଚାଲିଛି।