ଦୁର୍ଘଟଣାରେ ୨ ବିଧାୟକଙ୍କ ସମେତ ୬ ଆହତ

CNG ସିଲିଣ୍ଡର ବିସ୍ଫୋରଣ ପରେ ଦୁର୍ଘଟଣା

ନୂଆଦିଲ୍ଲୀ, ୨୪/୦୮: ଦିଲ୍ଲୀର ବ୍ୟସ୍ତବହୁଳ ITO ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇଜଣ ବିଧାୟକଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୯ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ଆହତମାନଙ୍କ ମଧ୍ୟରେ କିରାରୀର ବିଧାୟକ ଅନିଲ ଝା ଏବଂ କର୍ଣ୍ଣାଟକର ବିଧାୟକ ଅଭୟ ପଟେଲ ଅଛନ୍ତି। ସେମାନଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (LNJP)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ପୁଲିସର ସୂଚନା ଅନୁସାରେ, ଆଶୁତୋଷ ପାଣ୍ଡେ ନାମକ ୩୨ ବର୍ଷୀୟ ବ୍ୟକ୍ତି ଏକ କାର ଯୋଗେ ଲକ୍ଷ୍ମୀନଗରରୁ ITO ଅଭିମୁଖେ ଯାଉଥିଲେ। ତାଙ୍କ ସହ କାରରେ ତାଙ୍କ ପତ୍ନୀ ଏବଂ ଦୁଇଜଣ ନାବାଳକ ମଧ୍ୟ ଥିଲେ। ରାସ୍ତାରେ କାରର CNG ସିଲିଣ୍ଡର ଫାଟିଯିବା ପରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ।

ନିୟନ୍ତ୍ରଣ ହରାଇବା ପରେ କାରଟି ପିଡବ୍ଲୁଡି କାର୍ଯ୍ୟାଳୟ ନିକଟରେ ଥିବା ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ଗାଡ଼ିଟି ରାସ୍ତାର ରେଲିଂ ଭାଙ୍ଗି ଅପର ପଟୁ ଆସୁଥିବା ଏକ ଇନୋଭା ଏସୟୁଭିକୁ ଧକ୍କା ଦେଇଥିଲା। ସେହି ଇନୋଭାରେ ଦୁଇ ଜଣ ବିଧାୟକ ଯାତ୍ରା କରୁଥିଲେ। ଏସୟୁଭିରେ ‘କର୍ଣ୍ଣାଟକ ସରକାର’ ବୋର୍ଡ ଲାଗିଥିଲା।

ଏହି ଦୁର୍ଘଟଣାରେ ଦିଲ୍ଲୀର କିରାରୀ ନିର୍ବାଚନମଣ୍ଡଳୀର ବିଧାୟକ ଅନିଲ ଝା ଏବଂ କର୍ଣ୍ଣାଟକର ବିଧାୟକ ଅଭୟ ପଟେଲ ଆହତ ହୋଇଛନ୍ତି। କିନ୍ତୁ ଦୁର୍ଘଟଣାରେ ସ୍ୱିଫ୍ଟ କାରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଇନୋଭାର ସାମ୍ନା ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।