ମାନବ ଧର୍ମର ମୁଁ ଜଣେ ସେବକ: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି
ମୋତେ ଖଟା ମିଠାର ଅନୁଭବ ଶିଖାଇଛି ଗଣମାଧ୍ୟମ: ମୋଦି
ନୂଆଦିଲ୍ଲୀ, ୦୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜିତ ହେଉଛି। ୨୦୦୧ ଅକ୍ଟୋବର ୭ରେ ମୋଦି ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସେ ଗୁଜରାଟରେ ଲଗାତାର ତିନିଟି ନିର୍ବାଚନୀ ମାଣ୍ଡେଟ୍ ପାଇବା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୬ ଅକ୍ଟୋବର ୭ରେ ତାଙ୍କ ସରକାରୀ ମୁଖ୍ୟ ଭାବେ ଲଗାତାର ୨୫ ବର୍ଷର ଯାତ୍ରା ପୂରଣ ହୋଇଛି।
ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଦୀର୍ଘ ସାର୍ବଜନୀନ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁଜରାଟରୁ ସେବା ଆରମ୍ଭ କରି ଏବେ ଦେଶର ସେବା କରିବାର ସୁଯୋଗ ମିଳିଛି। ଦେଶବାସୀଙ୍କ ସେବା କରୁ କରୁ ୨୫ ବର୍ଷ କେମିତି ବିତିଗଲା, ତାହା ଅନୁଭବ ହୋଇନଥିବା ବୋଲି ସେ ଉଲ୍ଲେଖ କରିଛନ୍ତି। ଏଭଳି ଭାବରେ ଦେଶର ସେବା ଜାରି ରଖିବା ପାଇଁ ଦେଶବାସୀଙ୍କ ଆଶୀର୍ବାଦ ଓ ସାହସ ଆବଶ୍ୟକ।
ମୋଦି ତାଙ୍କ ଅଭିଭାଷଣରେ ‘ମୋ ପାଇଁ ପ୍ରତିଟି ଦେଶବାସୀ ଜଣେ ଜଣେ ଭଗବାନ’ ବୋଲି କହି ଜନସେବାକୁ ନିଜ ରାଜନୈତିକ ଯାତ୍ରାର ମୂଳ ଆଧାର ଭାବେ ବର୍ଣ୍ଣନା କରିଛନ୍ତି। ଦେଶର ସେବା କରିବା ପାଇଁ ଲୋକେ ତାଙ୍କୁ ବାଛିଛନ୍ତି ଏବଂ ଏହି ଦାୟିତ୍ୱକୁ ସେ କର୍ତ୍ତବ୍ୟ ଭାବେ ଗ୍ରହଣ କରିଛନ୍ତି।
ନିଜର ୨୫ ବର୍ଷର ଯାତ୍ରାରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ମୋଦି ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମ ତାଙ୍କୁ ଜୀବନର ‘ଖଟା-ମିଠା’ ଅନୁଭବ ଶିଖାଇଛି ବୋଲି ସେ କହିଛନ୍ତି। ସେବା କରିବା ସମୟରେ ସେ କେବେ ଏକାକୀ ଅନୁଭବ କରିନାହାନ୍ତି। ଦେଶବାସୀ ଓ ଦଳୀୟ କର୍ମୀଙ୍କ ସହଯୋଗ ହିଁ ତାଙ୍କ ଯାତ୍ରାର ଶକ୍ତି।
ମୋଦି କହିଛନ୍ତି ଯେ, ସେ ନିଜକୁ ସବୁବେଳେ ‘ମାନବ ଧର୍ମର ଜଣେ ସେବକ’ ଭାବେ ଦେଖିଆସିଛନ୍ତି। କେବଳ କଥା କହିବା ନୁହେଁ, ଯାହା କହନ୍ତି ତାହା କାମରେ କରି ଦେଖାଇବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ୱି ୱିଲ ଡୁ ଇଟ୍’ (ଆମେ ଏହା କରି ପାରିବା) ର ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ବ୍ୟକ୍ତିଗତ ଆକାଂକ୍ଷା ବା ‘ଆମ୍ବିସନ୍’ ପୂରଣ ଅପେକ୍ଷା ଦେଶର ବଡ଼ ‘ମିଶନ୍’ ପୂରଣକୁ ଗୁରୁତ୍ୱ ଦେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ‘ମୁଁ ଆମ୍ବିସନ୍ ପୂରଣ ଶିଖିନି, ମିଶନ୍ ପୂରଣ ମୋ ଲକ୍ଷ୍ୟ’ ବୋଲି ମୋଦି କହିଛନ୍ତି।
ଦେଶ ପାଇଁ କାମ କରିବାରେ ‘କର୍ମ ହିଁ ଧର୍ମ’। ଦେଶ ଓ ଦେଶବାସୀଙ୍କ ପାଇଁ ନିରନ୍ତର କର୍ମ କରିବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପଦ ଓ ପ୍ରତିଷ୍ଠା ଅନ୍ୟ ସ୍ଥାନରେ ମିଳିପାରେ, କିନ୍ତୁ ଭାରତ ଭଳି ପୁଣ୍ୟଭୂମି ଅନ୍ୟ କେଉଁଠି ମିଳିବ ନାହିଁ ବୋଲି କହିଛନ୍ତି।
୨୫ ବର୍ଷର ରାଜନୈତିକ ଓ ପ୍ରଶାସନିକ ଅନୁଭବ ସତ୍ତ୍ୱେ ନିଜ ଭିତରେ ଶିଖିବାର ଆଗ୍ରହ ଆଜି ବି ରହିଛି ବୋଲି ମୋଦି କହିଛନ୍ତି। ନିରନ୍ତର ଶିଖିବା, ନୂଆ କିଛି କରିବା ଓ ଦେଶର ଆବଶ୍ୟକତା ଅନୁଯାୟୀ କାମ କରିବା ତାଙ୍କ ଯାତ୍ରାର ଏକ ଅଂଶ।
ଅଭିଭାଷଣରେ ଭାରତର ଅର୍ଥନୀତିକୁ ନେଇ ମଧ୍ୟ ମୋଦି ମତ ରଖିଛନ୍ତି। ଗୋଟିଏ ସମୟରେ ଦୁନିଆରେ ଭାରତୀୟ ଅର୍ଥନୀତି ତଳମୁହାଁ ହେଉଛି ବୋଲି ଚର୍ଚ୍ଚା ହେଉଥିଲା ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ଅର୍ଥନୀତି ସମ୍ପର୍କିତ ଅନେକ ଆକଳନ ବଦଳିଛି ବୋଲି କହିଛନ୍ତି ମୋଦି। ସୁଶାସନର ମୂଳ ମନ୍ତ୍ର ଭାବେ ସେ ‘ସବ୍କା ସାଥ୍, ସବ୍କା ବିକାଶ’କୁ ପୁଣିଥରେ ଉଲ୍ଲେଖ କରିଛନ୍ତି।
ନିଜର ଦୀର୍ଘ ରାଜନୈତିକ ଯାତ୍ରାରେ ଦଳୀୟ କର୍ମୀଙ୍କ ପରିଶ୍ରମକୁ ମୋଦି ଗୁରୁତ୍ୱ ଦେଇଛନ୍ତି। ଦଳୀୟ କର୍ମୀଙ୍କ ପରିଶ୍ରମ ତାଙ୍କ ପାଇଁ ବଡ଼ ଶକ୍ତି ବୋଲି ସେ କହିଛନ୍ତି। ୨୫ ବର୍ଷର ଯାତ୍ରା କେବଳ ଜଣେ ବ୍ୟକ୍ତିଙ୍କ ଯାତ୍ରା ନୁହେଁ, ବରଂ ଦଳର କର୍ମୀ, ସମର୍ଥକ ଓ ଦେଶବାସୀଙ୍କ ସହଯୋଗ ସହ ଜଡ଼ିତ।
୨୫ ବର୍ଷର ଏହି ଅବସରକୁ ନେଇ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଅକ୍ଟୋବର ୬ରେ ଏକ ପ୍ରସ୍ତାବ ପାରିତ କରିଛି। ଏଥିରେ ମୋଦିଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଲଗାତାର ନେତୃତ୍ୱ ଯାତ୍ରାକୁ ଉଲ୍ଲେଖ କରାଯାଇଛି। କ୍ୟାବିନେଟ୍ ପ୍ରସ୍ତାବରେ ଗୁଜରାଟର SWAGAT ଭଳି ପ୍ରଶାସନିକ ପଦକ୍ଷେପ, ଜନଧନ ଓ PM-KISAN ଭଳି ଯୋଜନା, GST, ଡିଜିଟାଲ୍ ପ୍ରଯୁକ୍ତି, ମହିଳା ସଶକ୍ତୀକରଣ, ପ୍ରତିରକ୍ଷା, ଅନ୍ତରିକ୍ଷ ଓ ଭାରତର ବିଦେଶ ନୀତି ସମ୍ପର୍କିତ ବିଭିନ୍ନ ପଦକ୍ଷେପକୁ ସରକାର ନିଜ ଶାସନର ପ୍ରମୁଖ ଦିଗ ଭାବେ ଉଲ୍ଲେଖ କରିଛି।