ନୂଆଦିଲ୍ଲୀ, ୨୪/୦୮: ଦେଶରେ ମୋବାଇଲ୍ ସିମ୍ କାର୍ଡ ବ୍ୟବହାରକୁ ନେଇ ନିୟମ ଆହୁରି କଡ଼ା କରିଛନ୍ତି କେନ୍ଦ୍ର ସରକାର। ଅଗଷ୍ଟ ୨୪ରୁ ଟେଲିକମ୍ କମ୍ପାନୀଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁମାନଙ୍କ ନାମରେ ପୂର୍ବରୁ ଅନୁମୋଦିତ ସୀମା ପର୍ଯ୍ୟନ୍ତ ସିମ୍ ରହିଛି, ସେମାନଙ୍କୁ ନୂଆ ମୋବାଇଲ୍ କନେକ୍ସନ୍ ନଦେବାକୁ କୁହାଯାଇଛି।
ବର୍ତ୍ତମାନର ନିୟମ ଅନୁସାରେ, ଭାରତର ଅଧିକାଂଶ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରଖିପାରିବେ। ଏହି ସୀମା ଗୋଟିଏ ଟେଲିକମ୍ କମ୍ପାନୀ ପାଇଁ ଅଲଗା ନୁହେଁ; ବରଂ ବିଭିନ୍ନ ଅପରେଟର ଓ ସର୍ଭିସ୍ ଏରିଆରେ ଥିବା ମୋଟ କନେକ୍ସନ୍କୁ ମିଶାଇ ଗଣାଯିବ।
ତେବେ ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବାଞ୍ଚଳରେ ଏହି ସୀମା ୬ଟି ରହିଛି। ଅର୍ଥାତ୍ ଏହି ଅଞ୍ଚଳଗୁଡ଼ିକରେ ଜଣେ ବ୍ୟକ୍ତିଙ୍କ ନାମରେ ୬ଟିରୁ ଅଧିକ ମୋବାଇଲ୍ କନେକ୍ସନ୍ ରହିପାରିବ ନାହିଁ।
SIM କାର୍ଡର ସଂଖ୍ୟା ଉପରେ ୯ଟିର ସୀମା ନୂଆ ନୁହେଁ। ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଏହି ନିୟମ ରହିଛି। କିନ୍ତୁ ଏବେ ଏହାର କଡ଼ାକଡ଼ି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୧୭ରେ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ, ଅଗଷ୍ଟ ୨୪ରୁ ଟେଲିକମ୍ ସେବା ପ୍ରଦାନକାରୀମାନେ ଅନୁମୋଦିତ ସୀମା ଅତିକ୍ରମ କରି ନୂଆ କନେକ୍ସନ୍ ନେବାକୁ ଚେଷ୍ଟା କରୁଥିବା ଗ୍ରାହକଙ୍କୁ ଚିହ୍ନଟ କରି ନୂଆ ସିମ୍ ଦେବେ ନାହିଁ।
ଏହି ଯାଞ୍ଚ ପାଇଁ ଟେଲିକମ୍ ବିଭାଗ ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ବ୍ୟବହାର କରିବ। ବିଭିନ୍ନ ଟେଲିକମ୍ କମ୍ପାନୀରୁ ମିଳୁଥିବା ତଥ୍ୟ ଆଧାରରେ ଜଣେ ବ୍ୟକ୍ତିଙ୍କ ନାମରେ କେତୋଟି ମୋବାଇଲ୍ କନେକ୍ସନ୍ ରହିଛି, ତାହା ଚିହ୍ନଟ କରାଯିବ।
ଯଦି ଭାରତର ଅଧିକାଂଶ ଅଞ୍ଚଳରେ କାହାର ନାମରେ ପୂର୍ବରୁ ୯ଟି ମୋବାଇଲ୍ କନେକ୍ସନ୍ ରହିଛି, ତେବେ ଅଗଷ୍ଟ ୨୪ ପରେ ସେହି ବ୍ୟକ୍ତି ଆଉ ଏକ ନୂଆ SIM କାର୍ଡ ନେଇପାରିବେ ନାହିଁ। ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ କିମ୍ବା ଅନ୍ୟ ଅପରେଟରରୁ ଅଲଗା ଅଲଗା ସିମ୍ ନେଲେ ମଧ୍ୟ ସୀମା ଅତିକ୍ରମ କରିହେବ ନାହିଁ।
ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ନାମରେ ୫ଟି ଜିଓ, ୨ଟି ଏୟାରଟେଲ୍ ଓ ୨ଟି ଭୋଡାଫୋନ୍-ଆଇଡିଆ ସିମ୍ ଥିଲେ ମୋଟ ସଂଖ୍ୟା ୯ ହେବ। ଏହାପରେ ଅନ୍ୟ ଏକ ସିମ୍ ପାଇଁ ଆବେଦନ କଲେ ତାହା ଅନୁମୋଦିତ ହେବ ନାହିଁ।