ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ: ରାଜ୍ୟପାଳ

‘ଅଭ୍ୟୁଦୟ କନ୍‌କ୍ଲେଭ୍ ୨୦୨୬’ ଉଦଘାଟିତ

ଭୁବନେଶ୍ୱର, ୨୫/୦୮: ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି I ସରକାର, ନାଗରିକ, ଶିଳ୍ପାନୁଷ୍ଠାନ, ଶିକ୍ଷାବିତ, ସିଭିଲ ସୋସାଇଟି ଓ ଗଣମାଧ୍ୟମର ସମ୍ମିଳିତ ପ୍ରୟାସ ମାଧ୍ୟମରେ ଓଡ଼ିଶା ଗଢ଼ିବାକୁ ହେବ ଯେଉଁଠି ପ୍ରତ୍ୟେକ ଯୁବକ ବିଶ୍ୱାସର ସହ ସ୍ୱପ୍ନ ଦେଖିପାରିବେ, ମହିଳାମାନେ ମର୍ଯ୍ୟାଦାର ସହ ନେତୃତ୍ୱ ନେଇପାରିବେ, ଶିଶୁମାନେ ସୁଯୋଗ ସହିତ ଶିକ୍ଷା ଗ୍ରହଣ କରିପାରିବେ ଏବଂ ବିକାଶ ଧାଡ଼ିର ଶେଷ ବ୍ୟକ୍ତି ପାଖରେ ପହଞ୍ଚି ପାରିବ ବୋଲି ରାଜ୍ୟପାଳ କହିଛନ୍ତି ।

ମଙ୍ଗଳବାର ଦିନ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ସକାଳ’ ଓ ନନ୍ଦିଘୋଷ ଟିଭି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ‘ଅଭ୍ୟୁଦୟ କନ୍‌କ୍ଲେଭ୍ ୨୦୨୬’ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶା ବିକଶିତ ଓଡ଼ିଶା@୨୦୩୬ ଦିଗରେ ଅଗ୍ରସର ହେଉଥିବା ସମୟରେ ଏହି ଦୁଇଦିନିଆ କନ୍‌କ୍ଲେଭ ସମୟୋପଯୋଗୀ ଓ ପ୍ରାସଙ୍ଗିକ। ଓଡ଼ିଶା ଏକ ନୂଆ ଦ୍ୱାରଦେଶରେ ଠିଆ ହୋଇଛି । ଖଣିଜ ସମ୍ପଦରୁ ମୂଲ୍ୟ ସଂଯୋଜନ, ଉତ୍ପାଦନ, ନବୀକରଣ, ପ୍ରଯୁକ୍ତି, ଉଦ୍ୟମିତା ଓ ଗୁଣବତ୍ତାସମ୍ପନ୍ନ ନିଯୁକ୍ତି ଦିଗରେ ଅଗ୍ରସର ହେବାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ରାଜ୍ୟର ଖଣିଜ ସମ୍ପଦ ମାନବ ବିକାଶ ଓ ସମୃଦ୍ଧିର ଉତପ୍ରେରକ ହେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଓଡ଼ିଶାର ବିକାଶକୁ ଆଗେଇ ନେଉଥିବା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ଶିକ୍ଷାକୁ ବିକାଶର ପ୍ରମୁଖ ପ୍ରାଥମିକତା ଭାବେ ଚିହ୍ନଟ କରି ଜ୍ଞାନ, ଗବେଷଣା, ନବୀକରଣ ଓ ନେତୃତ୍ୱ ଉପରେ କେନ୍ଦ୍ରିତ ଉତ୍କର୍ଷ କେନ୍ଦ୍ର ଗଢ଼ିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଯୁବପିଢ଼ୀକୁ କେବଳ ଚାକିରି ଖୋଜିବା ନୁହେଁ, ଚାକିରି ସୃଷ୍ଟି କରିବା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ।

ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ମହିଳାମାନଙ୍କ ପାଇଁ ଶିକ୍ଷା, ପ୍ରଯୁକ୍ତି, ଅର୍ଥ, ସମ୍ପତ୍ତି, ଉଦ୍ୟମିତା ଓ ନେତୃତ୍ୱ ସୁଯୋଗ ବୃଦ୍ଧି କରିବାକୁ ରାଜ୍ୟପାଳ କହିଥିଲେ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତା ଉପରେ ଆଲୋକପାତ କରି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପ୍ରାକ ସତର୍କ ସୂଚନା ବ୍ୟବସ୍ଥା, ସ୍ଥାୟୀ ଭିତ୍ତିଭୂମି ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ବିପର୍ଯ୍ୟୟ ପ୍ରତିକ୍ରିୟାରୁ ବିପର୍ଯ୍ୟୟ ପରିଚାଳନା ଆଡ଼କୁ ପରିବର୍ତ୍ତନ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଉତ୍ଥାନକୁ ପ୍ରଶଂସା କରିବା ସହ ପ୍ରତ୍ୟେକ ଜିଲ୍ଲାରେ ଗୁଣବତ୍ତାସମ୍ପନ୍ନ କ୍ରୀଡ଼ା ଭିତ୍ତିଭୂମି ଏବଂ ଶିଶୁ ଓ ଯୁବ ଖେଳାଳିମାନଙ୍କ ପ୍ରତିଭା ବିକାଶ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟପାଳ କହିଥିଲେ।

ବିକଶିତ ଓଡ଼ିଶାକୁ କେବଳ ଆର୍ଥିକ ଅଭିବୃଦ୍ଧି ଓ ଭିତ୍ତିଭୂମି ଦ୍ୱାରା ନୁହେଁ, ଶିକ୍ଷାର ଗୁଣବତ୍ତା, ମହିଳାଙ୍କ ମର୍ଯ୍ୟାଦା, ଗୋଷ୍ଠୀ ସ୍ଥାୟିତ୍ୱତା, ନାଗରିକଙ୍କ ସ୍ୱାସ୍ଥ୍ୟ ଓ ଯୁବପିଢ଼ିର ଆତ୍ମବିଶ୍ୱାସ ଦ୍ୱାରା ମଧ୍ୟ ମପାଯିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି।

ନାଗରିକଙ୍କୁ ସଚେତନ କରାଇବା, ତ୍ରୁଟି ଲୋକଲୋଚନକୁ ଆଣିବା ଏବଂ ଯୁବ ଉଦ୍ୟୋଗୀ, ଚାଷୀ, ମହିଳା ଉଦ୍ୟୋଗୀ, ଖେଳାଳି ଓ ବୈଜ୍ଞାନିକଙ୍କ କାହାଣୀ ଉପସ୍ଥାପନ କରିବା ପାଇଁ ଗଣମାଧ୍ୟମକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଏହିପରି କାହାଣୀ କେବଳ ସୂଚନା ଦେଇ ନଥାଏ; ସେଗୁଡ଼ିକ ପ୍ରେରଣା ଦିଏ, ଉତ୍ସାହିତ କରେ ଏବଂ ପରିବର୍ତ୍ତନ ସୃଷ୍ଟି କରିବାର ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ ବୋଲି ରାଜ୍ୟପାଳ କହିଥିଲେ।

ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଏବଂ ନନ୍ଦିଘୋଷ ଟିଭି ଓ ସକାଳର ଅଧ୍ୟକ୍ଷ ଶ୍ରୀ ମାନସ ମଙ୍ଗରାଜ ଏବଂ ସକାଳର ମୁଦ୍ରାକର ଓ ପ୍ରକାଶକ ଶ୍ରୀ ଅମିତ ମଲ୍ଲିକ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ନନ୍ଦିଘୋଷ ଗ୍ରୁପର ଚେୟାର ମ୍ୟାନ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ବିକାଶ ଧାରା ଅତ୍ୟନ୍ତ ସୁଦୂରପ୍ରସାରୀ। ଅତୀତରେ ଓଡ଼ିଶାକୁ ବିକାଶ ଦିଗରେ ଅଧିକ ଗତିଶୀଳ କରାଯାଇଛି ଏବଂ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ରୋଲ୍ ମଡେ଼ଲ ଭାବେ ଅନ୍ୟମାନଙ୍କ ପାଇଁ ବେଶ ଅନୁକରଣୀୟ ହୋଇପାରିଛି। ଏବେ ମଧ୍ୟ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବେଶ ଆଗେଇ ଚାଲିଛି। ବିକାଶର ବାସ୍ତବତାକୁ ଆବାଳବୃଦ୍ଧବନିତାଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଜରୁରୀ ଏବଂ ଏ କ୍ଷେତ୍ରରେ ନନ୍ଦିଘୋଷରୁ ନିଜର ଦାୟିତ୍ୱବୋଧତାକୁ ଅଧିକ ଫଳପ୍ରସୂ କରିବା ପାଇଁ ପ୍ରତିବଦ୍ଧ।

ପ୍ରାରମ୍ଭରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂହ ପାନୱାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ନନ୍ଦିଘୋଷ ଟିଭି ଓ ସକାଳର ମୁଖ୍ୟ ସମ୍ପାଦକ ସମରେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ‌ ଧନ୍ୟବାଦ ଅର୍ପଣ କରି ଶ୍ରୀଯୁକ୍ତ ସମରେନ୍ଦୁ ଦାସ କହିଥିଲେ ଯେ, ରାଜ୍ୟ ଓ ରାଷ୍ଟ୍ରର ସାମୂହିକ ବିକାଶ, ସମୃଦ୍ଧି ଓ ସାଧାରଣ ଜନତାଙ୍କର ସୁଫଳ ପାଇଁ ନନ୍ଦିଘୋଷ ପ୍ରତିବଦ୍ଧ। ସେ ଆହୁରି କହିଥିଲେ ଯେ, ରାଜ୍ୟପାଳ କାର୍ଯ୍ୟକ୍ରମରେ ସାମିଲ ହେବା ଦ୍ୱାରା ତାଙ୍କର ମାର୍ଗଦର୍ଶନ ଲୋକଙ୍କ ଲାଭ ପାଇଁ ଆମର କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିବ ଏବଂ ମହାମହିମ ରାଜ୍ୟପାଳଙ୍କ ବିକଶିତ ଓଡ଼ିଶା ନେଇ ଯେଉଁ ସଂକଳ୍ପ ହୋଇଛି ତାହା ପ୍ରତ୍ୟେକଟି ଓଡ଼ିଆ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାର ସାମୂହିକ ବିକାଶ ପାଇଁ ସଂଗଠିତ ଭାବେ ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି ତାହା କହିଥିଲେ।