ସାଂସଦ ସପ୍ତଗିରି ଉଲାକାଙ୍କୁ ‘ସାଂସଦ ରତ୍ନ’ ସମ୍ମାନ

କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ପାଳିତ

କଲ୍ୟାଣସିଂହପୁର, ୧୧/୯ (ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଓ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ପ୍ରତିଷ୍ଠିତ ‘ସାଂସଦ ରତ୍ନ’ ଉପାଧିରେ ସମ୍ମାନିତ ହୋଇଥିବା ଖୁସିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ମୁଖ୍ୟ ଭୂମିକା ଗ୍ରହଣ କରି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସାଂସଦ ଗୃହରେ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା, ସ୍ୱାର୍ଥ ଓ ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ଦୃଢ଼ ତଥା ନିରନ୍ତର ଭାବେ ଉପସ୍ଥାପନ କରି ଉଲ୍ଲେଖନୀୟ ସେବା ଯୋଗାଇଥିବାରୁ ସାଂସଦ ଶ୍ରୀ ଉଲାକା ଏହି ଜାତୀୟସ୍ତରୀୟ ସମ୍ମାନ ହାସଲ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ନାଗେଶ୍ୱର ରାଓ, ସରପଞ୍ଚ ଗୌତମ ବାଲି, ବ୍ଲକ କଂଗ୍ରେସ କମିଟି ସମ୍ପାଦକ ପ୍ରଶାନ୍ତ ନନ୍ଦ କୌଶଲ୍ୟାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ, ଯୁବ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ। କର୍ମୀମାନେ ପରସ୍ପରକୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସାହ ପ୍ରକାଶ କରିବା ସହ ସାଂସଦଙ୍କ ଉତ୍ତୋରତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ।