କେଜିରୁ ପିଜି ନିଃଶୁଳ୍କ ଶିକ୍ଷା: ‘ଜ୍ଞାନୋଦୟ’ରେ ପ୍ରଥମ କିସ୍ତି ଜାରି
ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ୱର, ୧୧/୦୯: ଓଡ଼ିଶାରେ ଛାତ୍ରଛାତ୍ରୀଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ଜ୍ଞାନୋଦୟ’- ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୬-୨୭ ଶିକ୍ଷାବର୍ଷର ୟୁଜି ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସରିବା ପରେ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଯୋଜନାର ପ୍ରଥମ କିସ୍ତିର ଅର୍ଥ ପ୍ରଦାନ କରାଯାଇଛି।
ସାମ୍ସ ମାଧ୍ୟମରେ ହୋଇଥିବା ୟୁଜି ନାମଲେଖା ଆଧାରରେ ପ୍ରଥମ କିସ୍ତିର ୧୦ ପ୍ରତିଶତ ବାବଦରେ ମୋଟ ୯.୫୬ କୋଟି ଟଙ୍କା ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ସିଧାସଳଖ ପ୍ରଦାନ କରାଯାଇଛି। ଫଳରେ ଯୋଜନା ଅଧୀନରେ ଥିବା ଯୋଗ୍ୟ ଅନୁଷ୍ଠାନଗୁଡ଼ିକ ଆର୍ଥିକ ସହାୟତା ପାଇବା ଆରମ୍ଭ କରିଛନ୍ତି।
ଏହାପରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଓ ଯୋଜନାର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦ୍ୱିତୀୟ କିସ୍ତିର ୧୫ ପ୍ରତିଶତ ଅର୍ଥରାଶି ମଧ୍ୟ ଖୁବ୍ଶୀଘ୍ର ପ୍ରଦାନ କରାଯିବ। ଦ୍ୱିତୀୟ କିସ୍ତି ବାବଦରେ ମୋଟ ୧୪.୩୪ କୋଟି ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ କିସ୍ତିର ୯.୫୬ କୋଟି ଟଙ୍କା ପରେ ଆସନ୍ତା ଦ୍ୱିତୀୟ କିସ୍ତିର ୧୪.୩୪ କୋଟି ଟଙ୍କା ମିଳିଲେ ଯୋଜନା ଅଧୀନରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ମୋଟ ୨୩.୯ କୋଟି ଟଙ୍କାର ଦୁଇଟି କିସ୍ତି ପ୍ରଦାନ ହେବ।