ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକା ପକ୍ଷରୁ ମିଠା ଦୋକାନ, ବେକରୀ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ

୪୦ କିଲୋଗ୍ରାମ ମିଠା ଜବତ

ନବରଙ୍ଗପୁର, ୧୨/୦୯ (ଏ. ସତୀଶ): ନବରଙ୍ଗପୁର ସହରରେ ଖାଦ୍ୟ ସୁରକ୍ଷା, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଯାଞ୍ଚ ଓ ନିୟମ ପାଳନ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ନବରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ ଓ ପୌରପାଳିକାର କର୍ମଚାରୀମାନଙ୍କ ସହ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏବଂ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ। ଯାଞ୍ଚ ସମୟରେ ସହରର ବିଭିନ୍ନ ମିଠା ଦୋକାନ, ବେକେରୀ ଓ ରେଷ୍ଟୁରାଣ୍ଟ ପରିଦର୍ଶନ କରାଯାଇ ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣ ବ୍ୟବସ୍ଥା, ଦୋକାନର ପରିଚ୍ଛନ୍ନତା, ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛ ପରିବେଶ ଏବଂ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ନିୟମ ପାଳନ ଆଦି ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ ପ୍ରାୟ ୪୦ କିଲୋଗ୍ରାମ ମିଠା ଏବଂ ପ୍ରାୟ ୩୦ କିଲୋଗ୍ରାମ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (Single-use Plastic) ଜବତ କରାଯାଇ ନିୟମାନୁସାରେ ନଷ୍ଟ କରାଯାଇଥିଲା। ଏହାଛଡ଼ା, ଯାଞ୍ଚ ସମୟରେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟକର ପରିବେଶରେ ଆବଶ୍ୟକ ସୁଧାର ଆଣିବା ପାଇଁ ୩ଟି ଦୋକାନକୁ ନୋଟିସ୍ ଜାରି କରାଯାଇଛି। ସମ୍ପୃକ୍ତ ଦୋକାନଗୁଡ଼ିକୁ ଆସନ୍ତା ୧୫ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ଲୋକଙ୍କୁ ନିରାପଦ ଓ ଗୁଣବତ୍ତାସମ୍ପନ୍ନ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ସହରକୁ ପରିଚ୍ଛନ୍ନ ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ପାଇଁ ଏଭଳି ଯାଞ୍ଚ ଓ ନିୟମ ପାଳନ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଜନସାଧାରଣଙ୍କୁ ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ପ୍ରତି ସଚେତନ ରହିବା ସହ ନିରାପଦ ଖାଦ୍ୟ ବ୍ୟବହାର କରିବାକୁ ମଧ୍ୟ ଆହ୍ୱାନ କରାଯାଇଛି।