ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଁଖାଇ କେବଳ ପର୍ବ ନୁହେଁ, ଏହା ଓଡ଼ିଆ ଏକତାର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୦୯: ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ‘ସମ୍‌କୁ ମୋର ନୂଆଁଖାଇ ଜୁହାର୍’ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନୂଆଁଖାଇ ପର୍ବର ମହତ୍ତ୍ୱ ଓ ଓଡ଼ିଆ ସଂସ୍କୃତିରେ ଏହାର ସ୍ଥାନକୁ ସ୍ମରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର ମାଟି, ସଂସ୍କୃତି, ପରମ୍ପରା, ଚାଲିଚଳଣ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହି ପର୍ବ ପରିବାର ଓ ସମାଜକୁ ଏକାଠି କରିବା ସହ ଭାଇଚାରାର ବନ୍ଧନକୁ ଆହୁରି ମଜବୁତ କରିଥାଏ।

ନୂଆଁଖାଇ ଅବସରରେ ସମସ୍ତେ ମନରୁ ଭେଦଭାବ, ତିକ୍ତତା ଓ ଅହଂକାରକୁ ଦୂରେଇ ଗୁରୁଜନଙ୍କୁ ଜୁହାର ଓ ମୁଣ୍ଡିଆ ଜଣାଇବା ସହ ସାନମାନଙ୍କୁ ସ୍ନେହ ଓ ଆଶୀର୍ବାଦ ଦେବାର ଏହି ସୁନ୍ଦର ପରମ୍ପରାକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ଏଥିସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ, ଯୁବକଯୁବତୀ, ଶ୍ରମିକ, କିଷାନ ଓ ଜୱାନଙ୍କ ସମେତ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ନୂଆଁଖାଇ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣୁ ବୋଲି ସେ କାମନା କରିଛନ୍ତି। ମା’ ସମଲେଇ ସମସ୍ତଙ୍କ ଜୀବନକୁ ହସଖୁସି, ସୁଖଶାନ୍ତି, ଉନ୍ନତି, ପ୍ରଗତି ଓ ସଫଳତାରେ ଭରିଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।