ନୂଆଦିଲ୍ଲୀ, ୧୪/୦୯: ୨୦୨୬ ଶେଷ ତିନି ମାସ ଭାରତ ମହାସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧୀନସ୍ଥ ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ମୌସୁମୀ ଆକଳନ ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ପ୍ରାୟ ୩ଟି ବାତ୍ୟା ହେବାର ସମ୍ଭାବନା ରହିଛି।
MOSDAC ପକ୍ଷରୁ ପ୍ରକାଶିତ ଆକଳନରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ଗୁଡ଼ିକର ମୋଟ ପାୱାର ଡିସିପେସନ ଇଣ୍ଡେକ୍ସ ବା ପିଡିଆଇ ପ୍ରାୟ 13.06 × 10⁶ knots³ ହୋଇପାରେ ବୋଲି ଦର୍ଶାଯାଇଛି। ଏହା ଗତ ୪୪ ବର୍ଷର ହାରାହାରି ଘୂର୍ଣ୍ଣିଝଡ଼ ଶକ୍ତିଠାରୁ ପ୍ରାୟ ୮୩% ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଉତ୍ତର ଭାରତ ମହାସାଗର ମଧ୍ୟରେ ମୁଖ୍ୟତଃ ବଙ୍ଗୋପସାଗର ଓ ଆରବ ସାଗର ରହିଛି। ତେଣୁ ଓଡ଼ିଶା ସମେତ ପୂର୍ବ ଉପକୂଳର ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ରହିଛି। ବଙ୍ଗୋପସାଗର ଦିଗରୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ଅଞ୍ଚଳ ପ୍ରଭାବିତ ହୋଇପାରେ। ଆରବ ସାଗରର ସିଷ୍ଟମ୍ ଗୁଜରାଟ, ମହାରାଷ୍ଟ୍ର ଭଳି ପଶ୍ଚିମ ଉପକୂଳୀୟ ଅଞ୍ଚଳରେ ବାତ୍ୟା ପ୍ରଭାବ ରହିପାରେ।
ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ପଶ୍ଚିମ ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଚୀନ ସାଗରରେ ଗଠିତ କିଛି ଟ୍ରପିକାଲ୍ ସିଷ୍ଟମ୍ର ଅବଶେଷ ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ଏସିଆ ଦେଇ ଆଣ୍ଡାମାନ ସାଗର ଅଞ୍ଚଳକୁ ପହଞ୍ଚିପାରେ। ତେବେ ପ୍ରତ୍ୟେକ ଟାଇଫୁନ୍ ଭାରତ ଆଡ଼କୁ ଆସିବ—ଏପରି କୌଣସି ନିଶ୍ଚିତତା ନାହିଁ।