ବରଗଡ଼ ସମଲେଶ୍ବରୀ ମନ୍ଦିରରେ ଗଣେଶ ପୂଜା କମିଟି ପକ୍ଷରୁ ବିଶ୍ବ କଲ୍ୟାଣ ନିମନ୍ତେ ଭବ୍ଯ ମହା ଆଳତି ଅନୁଷ୍ଠିତ
ମନ୍ଦିରରେ ମନୋରମ ଓ ଭକ୍ତିମୟ ପରିବେଶ ସୃଷ୍ଟି
ବରଗଡ଼, ୧୬/୦୯: ବରଗଡ଼ର ଆଧ୍ୟାତ୍ମିକ ପୀଠ ସମଲେଶ୍ବରୀ ମନ୍ଦିର ନିକଟରେ ହେଉଥିବା ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ୯୬ତମ ଗଣେଶ ପୂଜା ଅବସରରେ ଏକ ବିଶେଷ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ମଙ୍ଗଳ ଏବଂ ବିଶ୍ବ କଲ୍ୟାଣ କାମନା କରି କମିଟି ପକ୍ଷରୁ ଏକ ଭବ୍ଯ ମହା ଆଳତିର ଆୟୋଜନ କରାଯାଇଥିଲା। ପବିତ୍ର ଗଣେଶ ପୂଜା ଅବସରରେ ମନ୍ଦିର କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ମୁଖ୍ୟ ପଣ୍ଡିତ ବିଘ୍ନରାଜ ଦାଶ ବୈଦିକ ମନ୍ତ୍ରୋଚ୍ଚାରଣ ସହ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ପରେ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମହା ଆଳତିରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ୯୬ତମ ଗଣେଶ ପୂଜାକୁ ସଫଳ କରିବାରେ ଅଲୋକ କୁମାର ପ୍ରଧାନ, ରୋଷନ କୁମାର ପ୍ରଧାନ, ଭିକି ପ୍ରଧାନ, ସୋମଜିତ୍ କୁଣ୍ଡୁ, ରୋଷନ ପାଣି, ସଂଗ୍ରାମ ଜୁଆଡ଼ି, ବାବୁଲୁ କାଥର ଏବଂ ସୁନୀଲ ନାୟକ ପ୍ରମୁଖ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରି ସହଯୋଗ ପ୍ରଦାନ କରିଥିଲେ। କମିଟିର ଏହି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଥିବାବେଳେ ମନ୍ଦିରରେ ଏକ ମନୋରମ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।