କଲ୍ୟାଣସିଂହପୁର, ୧୬/୯(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କୁମାରଗୁଡ଼ା ଗ୍ରାମର ଉଦୟନାଥ ଅନ୍ତରସିଂ (୪୬) ଗତ ରାତିରେ ଏକ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୯ଟା ସମୟରେ ଉଦୟନାଥ ଝାଡ଼ା ଫେରି ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଡାହାଣଗଡ଼ରେ ଧକ୍କା ଦେଇଥିଲା। ଧକ୍କାରେ ଉଦୟନାଥ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ପବନ କୁମାର ବଚ୍ଛା ପ୍ରାଥମିକ ଚିକିତ୍ସା କରିବା ପରେ ଉଦୟନାଥଙ୍କ ଗଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ସ୍ୱାମୀଙ୍କ ଦୁର୍ଘଟଣା ଖବର ଶୁଣି ଉଦୟନାଥଙ୍କ ସ୍ତ୍ରୀଙ୍କ ରକ୍ତଚାପ ବଢ଼ିଯାଇଥିବାରୁ ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିବା ପରିବାର ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ଘଟାଇଥିବା ବାଇକ୍ରେ ପୋଲମା ପଞ୍ଚାୟତ କୁଶବେଟି ଗ୍ରାମର ବିଜୟୀ ହୁଇକା ଓ ସୁମନ କାଡ୍ରାକା ଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଦ୍ରୁତଗତିରେ ଗାଡ଼ି ଚଳାଚଳ ଉପରେ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।