ଧରାପଡ଼ିଲା ଟପ୍ ମାଓ ନେତା ମଙ୍ଗୁ; ମୁନିଗୁଡ଼ାରୁ ଉଠାଇନେଲା ପୁଲିସ
ଗୁପ୍ତ ସ୍ଥାନରେ ଚାଲିଛି ଜେରା; ଗିରଫ ନା ଆତ୍ମସମର୍ପଣ—ବଢ଼ିଲା ସସ୍ପେନ୍ସ
ଶେଷ ୯/୧୦ ଜଣିଆ ମାଓ ଟିମ୍ ଉପରେ ଗୁଇନ୍ଦା ବିଭାଗର ଲଗାତାର ନଜର
ରାୟଗଡ଼ା, ୧୭/୦୯(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଚାଲିଥିବା ଅଭିଯାନ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ଟପ୍ ମାଓ ନେତା ସର୍ବେଶ ମାଝୀ ଓରଫ ‘ମଙ୍ଗୁ’ ମୁନିଗୁଡ଼ା ବ୍ଲକ୍ ଅଞ୍ଚଳରୁ ପୁଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି। ଦହିଖାଲ ଅଞ୍ଚଳରୁ ତାଙ୍କୁ ଧରାଯାଇଥିବା କୁହାଯାଉଛି। ପ୍ରଥମେ ମଙ୍ଗୁଙ୍କୁ ମୁନିଗୁଡ଼ା ଥାନାକୁ ଅଣାଯାଇଥିବା ବେଳେ ପରେ ତାଙ୍କୁ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରାଯାଉଥିବା ସୂଚନା ରହିଛି।
ତେବେ ମଙ୍ଗୁଙ୍କୁ ପୁଲିସ ଗିରଫ କରିଛି ନା ସେ ଆତ୍ମସମର୍ପଣ କରିଛନ୍ତି—ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ରାୟଗଡ଼ା ପୁଲିସ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।
ଶେଷ ମାଓ ଟିମ୍ ଉପରେ ଥିଲା ନଜର।
ସୂଚନାନୁସାରେ, କାଶିପୁର ବ୍ଲକ୍ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଶ୍ୟାମ ମାଝୀଙ୍କ ପୁଅ ସର୍ବେଶ ମାଝୀ ଓରଫ ମଙ୍ଗୁ ମାଓ ସଂଗଠନରେଏସିଏମ କ୍ୟାଡର୍ ଭାବେ କାର୍ଯ୍ୟ କରୁଥିବା କୁହାଯାଉଥିଲା। ସେ କେକେବିଏନ ଡିଭିଜନରେ ସକ୍ରିୟ ଥିବା ସୂଚନା ମଧ୍ୟ ରହିଛି।ରାୟଗଡ଼ା–କନ୍ଧମାଳ–ଗଜପତି ସୀମାନ୍ତ ଅଞ୍ଚଳରେ ପ୍ରାୟ ୯ରୁ ୧୦ ଜଣିଆ ଏକ ଟିମ୍ ସକ୍ରିୟ ଥିବା ନେଇ ପୁଲିସ ଗୁଇନ୍ଦା ବିଭାଗ ନଜର ରଖିଥିବା କୁହାଯାଉଛି। ଏହି ଟିମ୍ରେ ମଙ୍ଗୁ ଏକମାତ୍ର ଓଡ଼ିଆ କ୍ୟାଡର୍ ଭାବେ ରହିଥିବା ସୂଚନା ମିଳିଛି।
ମାଓମୁକ୍ତ ଘୋଷଣାକୁ ନେଇ ଥିଲା ଅପେକ୍ଷା ।
ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରାୟଗଡ଼ା ସମେତ ଓଡ଼ିଶାକୁ ମାଓମୁକ୍ତ କରିବା ନେଇ ଘୋଷଣା ହୋଇଥିଲା। ତେବେ ରାୟଗଡ଼ା–କନ୍ଧମାଳ–ଗଜପତି ସୀମାନ୍ତରେ ସକ୍ରିୟ ଥିବା ଶେଷ ଟିମ୍ର ସଦସ୍ୟମାନେ ଆତ୍ମସମର୍ପଣ ନ କରିବାରୁ ରାୟଗଡ଼ାକୁ ନେଇ ଆନୁଷ୍ଠାନିକ ମାଓମୁକ୍ତ ଘୋଷଣା ପ୍ରକ୍ରିୟା ନେଇ ପ୍ରଶ୍ନ ରହିଥିଲା।
ଏବେ ମଙ୍ଗୁ ଧରାପଡ଼ିଥିବା ଖବର ସତ୍ୟ ହେଲେ ଏହି ଅଞ୍ଚଳରେ ମାଓବାଦୀ ନେଟୱର୍କ ବିରୋଧରେ ଚାଲିଥିବା ଅଭିଯାନକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଇପାରେ। ତେବେ ପୁଲିସର ଆନୁଷ୍ଠାନିକ ବିବୃତ୍ତି ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।