ଉତ୍ସବ କେବଳ ମନୋରଞ୍ଜନ ନୁହେଁ, ସାମାଜିକ ଦାୟିତ୍ୱବୋଧର ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର ଦାୟିତ୍ୱ

ଦେବଗଡ଼ ପୁରୁଣା କଚେରୀ ହେବ ଅତ୍ୟାଧୁନିକ ମ୍ୟୁଜିୟମ, ପ୍ରଧାନପାଟର ହେବ ସୌନ୍ଦର୍ଯ୍ୟକରଣ

ଦେବଗଡ଼, ୧୭/୦୯: ପୂଜା-ଉତ୍ସବ କେବଳ ନାଚ-ଗୀତ, ଭୋଜିଭାତ ଓ ଆଲୋକସଜ୍ଜାରେ ସୀମିତ ରହିବା ଉଚିତ୍ ନୁହେଁ । ଏଭଳି ସାମାଜିକ ସମାରୋହ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଠିକ୍ ପୋଷଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସମସ୍ତଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି ହେବା ଆବଶ୍ୟକ ବୋଲି କହିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେବଗଡ଼ ପବିତ୍ର ସାର୍ବଜନୀନ ଗଣେଶ ପୂଜା ମହୋତ୍ସବରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜିଲ୍ଲାରେ ୧ ରୁ ୧୮ ବର୍ଷ ବୟସର ପ୍ରାୟ ୭୫ ହଜାର ଶିଶୁ ଓ କିଶୋର-କିଶୋରୀ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ଅପରପକ୍ଷରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସ୍ୱଚ୍ଛତା ଅଭିଯାନକୁ ଏକ ଆଦର୍ଶ ଜନ-ଆନ୍ଦୋଳନର ରୂପ ଦେଇଛନ୍ତି । ସେହିପରି ଆମକୁ ମଧ୍ୟ ଆମର ପବିତ୍ର ମନ୍ଦିର ଓ ରାସ୍ତାଘାଟକୁ ସ୍ୱଚ୍ଛ, ସୁନ୍ଦର ଏବଂ ପ୍ଲାଷ୍ଟିକ୍‌ମୁକ୍ତ ରଖିବାକୁ ପଡ଼ିବ । କେବଳ ସରକାରୀ ସ୍ତରରେ ନୁହେଁ, ବରଂ ସମାଜର ମିଳିତ ସହଭାଗିତାରେ ଏହି ଗୁରୁଦାୟିତ୍ୱ ନେବାକୁ ହେବ।

ଏହାସହ ଦେବଗଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ପ୍ରଧାନପାଟର ସୌନ୍ଦର୍ଯ୍ୟକରଣ ଏବଂ ଐତିହାସିକ ପୁରୁଣା କଚେରୀକୁ ଏକ ଅତ୍ୟାଧୁନିକ ମ୍ୟୁଜିୟମରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।