ମୋଦୀଙ୍କ ୭୬ତମ ଜନ୍ମଦିନରେ ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠ ପକ୍ଷରୁ ୭୬ଟି ଦୀପ ପ୍ରଜ୍ଜ୍ୱଳନ
ମୋଦୀ ଯୁବ ପିଡିଙ୍କୁ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ଦେଇଛନ୍ତି: ଡ. ତପନ ଚାନ୍ଦ
ଭୁବନେଶ୍ୱର, ୧୭/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏକ ମାସବ୍ୟାପୀ “ସେବା ସଙ୍କଳ୍ପ ଅଭିଯାନ” ଆୟୋଜିତ ହେଉଛି। ଗୁଜରାଟ ସରକାରର ମୁଖ୍ୟ ଭାବେ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରର ମୁଖ୍ୟ ଭାବେ ଶ୍ରୀ ମୋଦୀଙ୍କ ୨୫ ବର୍ଷର ସେବା, ସୁଶାସନ, ସଙ୍କଳ୍ପ ଓ ସମର୍ପଣକୁ ସ୍ମରଣ କରି ଏହି ଅଭିଯାନ ଆୟୋଜିତ ହେଉଛି।
ଏହି ଅବସରରେ ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ସନ୍ଧ୍ୟା ୭ଟାରେ ଭୁବନେଶ୍ୱରର ଇନ୍ଫୋସିଟିଠାରେ “ଆଶୀର୍ବାଦ ଦୀପ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ନିଜ ଜୀବନ ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିଥିବା ବହୁ ସଂଖ୍ୟକ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ MSME ଉଦ୍ୟମୀ ଯୋଗଦେଇଥିଲେ।
ଯୁବ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ କ୍ଷୁଦ୍ର ଉଦ୍ୟମୀମାନେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପ୍ରାର୍ଥନା ସହ ଶ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନକୁ ସ୍ମରଣ କରି ୭୬ଟି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ଦୀର୍ଘ ଓ ମଙ୍ଗଳମୟ ଜୀବନ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମସ୍ଥଳ ଯୁବ ବ୍ୟବସାୟିକ ଓ ଉଦ୍ୟୋଗୀମାନଙ୍କ ଉତ୍ସାହ ଓ ଭାବାବେଗରେ ପରିପୂର୍ଣ୍ଣ ହୋଇଉଠିଥିଲା। ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା ଅଙ୍କିତ ଆକର୍ଷଣୀୟ ଓ ରଙ୍ଗିନ ରଙ୍ଗୋଲି କାର୍ଯ୍ୟକ୍ରମସ୍ଥଳର ଶୋଭା ବଢ଼ାଇଥିଲା। ଏଥିରେ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ସେମାନଙ୍କ ଜୀବନ ଓ ବ୍ୟବସାୟରେ ଆସିଥିବା ସକାରାତ୍ମକ ପରିବର୍ତ୍ତନକୁ ନେଇ ଯୁବ ଉଦ୍ୟୋଗୀମାନେ ନିଜ ଅନୁଭବ ସେୟାର କରିଥିଲେ ଏବଂ ରିଲ୍ ମାଧ୍ୟମରେ ଏହାକୁ ପ୍ରକାଶ କରିଥିଲେ।
“ମୋଦୀଙ୍କ ସୁଶାସନ ଓ ଜନକଲ୍ୟାଣରେ ସମାଜର ସବୁ ବର୍ଗ ଉପକୃତ” — ଡ. ତପନ ଚାନ୍ଦ
ପୂର୍ବତନ NALCO CMD ତଥା ଶିଳ୍ପ ପ୍ରକୋଷ୍ଠର ସହ-ସଂଯୋଜକ ଡ. ତପନ ଚନ୍ଦ କହିଥିଲେ ଯେ, ଶ୍ରୀ ମୋଦୀଙ୍କ ସୁଶାସନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଦ୍ୱାରା ସମାଜର ସମସ୍ତ ବର୍ଗ ବିଭିନ୍ନ ଭାବେ ଉପକୃତ ହୋଇଛନ୍ତି।
ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଣ କରାଯାଇଛି। ସେହିପରି, ବିଭିନ୍ନ ସରକାରୀ ଯୋଜନା ଓ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ବହୁ ଲୋକ ବହୁମାତ୍ରିକ ଦାରିଦ୍ର୍ୟରୁ ବାହାରିବାର ସୁଯୋଗ ପାଇଛନ୍ତି। ଘରେ ଶୌଚାଳୟ ନିର୍ମାଣ ମାଧ୍ୟମରେ ୧୨ କୋଟିରୁ ଅଧିକ ମହିଳାଙ୍କ ପାଇଁ ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ଡ. ଚନ୍ଦ ଆହୁରି କହିଥିଲେ ଯେ, Startup India ସମେତ ବିଭିନ୍ନ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ଭାରତୀୟ ଯୁବପିଢ଼ିଙ୍କୁ ପ୍ରଥମଥର ପାଇଁ ବ୍ୟବସାୟ ଓ ଉଦ୍ୟମିତାକୁ ଏକ ସମ୍ମାନଜନକ ଓ ସମ୍ଭାବନାମୟ କ୍ୟାରିୟର ଭାବେ ଗ୍ରହଣ କରିବାର ପ୍ରେରଣା ଦେଇଛି। ଆଜିର ଯୁବ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନେ ଏହି ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ସ୍ୱୀକାର କରୁଛନ୍ତି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମ ଶ୍ରୀ ପ୍ରଭାତ କେଶରୀ ମିଶ୍ର — ସଂଯୋଜକ, ଶିଳ୍ପ ପ୍ରକୋଷ୍ଠ; ଡ. ତପନ ଚନ୍ଦ — ସହ-ସଂଯୋଜକ, ଶିଳ୍ପ ପ୍ରକୋଷ୍ଠ; ଶ୍ରୀମତୀ ଜୟଶ୍ରୀ ମହାନ୍ତି — MD, Luminous Info; ଓମ୍ ପରିଡ଼ା ଏବଂ ଶ୍ରୀ ଚଣ୍ଡୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।