କିଟ୍ ଓ କିସ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ପାଳନ
ଶ୍ରୀବାଣୀକ୍ଷେତ୍ର ବେଦସ୍କୁଲ୍ ବେଦାଧ୍ୟାୟୀଙ୍କ ଦ୍ୱାରା ବେଦପାଠ
ଭୁବନେଶ୍ୱର, ୧୭/୦୯: କିସ୍ ଓ କିଟ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ପାଳିତ ହୋଇଯାଇଛି। ଆଜି ସକାଳେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ କିଟ୍ ଓ କିସ୍ର ୩ହଜାର ପିଲା ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କିସ୍ ପିଲାଙ୍କ ସହ ଅଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହାପରେ କିସ୍ ପରିସରରେ କିସର ୪୦ ହଜାର ଛାତ୍ରଛାତ୍ରୀ କେକ୍ କାଟି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ମାସ୍କ ପିନ୍ଧି ଜନ୍ମଦିନ କେକ୍ କାଟି ଅତ୍ୟନ୍ତ ଉତ୍ସାହର ସହ ଏହି ଉତ୍ସବରେ ସାମିଲ ହୋଇଥିଲେ। ପରେ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ କିସ୍ର ଜନଜାତି ପିଲାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସମୂହ ଦୀପଦାନ କରିଥିଲେ। ଏହା ସହ ଶ୍ରୀବାଣୀକ୍ଷେତ୍ର ବେଦସ୍କୁଲ୍ ବେଦାଧ୍ୟାୟୀଙ୍କ ଦ୍ୱାରା ବେଦପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କୁ ମୋଦୀଙ୍କ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିବା ସହ ଜନଜାତି ସମୁଦାୟର ସଶକ୍ତିକରଣ ଏବଂ ବିକାଶ ଦିଗରେ ତାଙ୍କର ପ୍ରଚେଷ୍ଟା ପାଇଁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିଲେ।