‘ଟେକ୍‌ନୋଭା – ଇଣ୍ଟିଗ୍ରେଟେଡ୍ ନଲେଜ୍ ହବ୍’ ଖୋର୍ଦ୍ଧା ରୋଡ ମେମୁ କାର୍ ଶେଡ୍‌ରେ ଉଦ୍‌ଘାଟିତ

“ସହଜରେ ଅଦ୍ୟତନ ଜ୍ଞାନ ଉପଲବ୍ଧ କରାଇବା” ଜ୍ଞାନ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର, ୧୭/୦୯: ମେମୁ ଟ୍ରେନ୍‌ର ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ଆହୁରି ଦକ୍ଷ, ସୁରକ୍ଷିତ ଓ ବୈଷୟିକ ଭାବେ ସୁଦୃଢ଼ କରିବା ଦିଗରେ ଏକ ଅଭିନବ ପଦକ୍ଷେପ ସ୍ୱରୂପ, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଖୋର୍ଦ୍ଧା ରୋଡ୍‌ସ୍ଥିତ ମେମୁ କାର୍ ଶେଡ ରେ “ଟେକ୍‌ନୋଭା – ଇଣ୍ଟିଗ୍ରେଟେଡ୍ ନଲେଜ୍ ହବ୍” ଉଦ୍‌ଘାଟିତ ହୋଇଛି।

ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଏହି ଜ୍ଞାନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏଡିଆରଏମ୍ (ଓପି) ଶ୍ରୀ ପି.କେ. ବେହେରାଙ୍କ ସମେତ ବିଦ୍ୟୁତ୍ (ଓପି), ବିଦ୍ୟୁତ୍ (ଜି), ପରିଚାଳନା, ସଙ୍କେତ ଓ ଦୂରସଞ୍ଚାର, ଭଣ୍ଡାର ଶାଖାର ଅଧିକାରୀବୃନ୍ଦ ଏବଂ ଡିଇଇ/ମେମୁ/ଖୋର୍ଦ୍ଧା ରୋଡ୍ ଉପସ୍ଥିତ ଥିଲେ।

ଟେକ୍‌ନୋଭା ଏକ ସମନ୍ୱିତ ବୈଷୟିକ ଜ୍ଞାନ କେନ୍ଦ୍ର ଭାବେ ପାରମ୍ପରିକ ଏବଂ ୩-ଫେଜ୍ ମେମୁ ଟ୍ରେନ ର ବିଭିନ୍ନ ବୈଦ୍ୟୁତିକ, ବାୟୁଚାଳିତ ଓ ଯାନ୍ତ୍ରିକ ଯନ୍ତ୍ରାଂଶ, ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ, ପରୀକ୍ଷା ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଆବଶ୍ୟକୀୟ ବୈଷୟିକ ତଥ୍ୟକୁ ଏକ ସ୍ଥାନରେ ସଂଗ୍ରହ କରିଛି।

ଏହି ଜ୍ଞାନ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି “ସହଜରେ ଅଦ୍ୟତନ ଜ୍ଞାନ ଉପଲବ୍ଧ କରାଇବା” ପ୍ରଦାନ କରିବା। ଏହା କର୍ମଚାରୀମାନଙ୍କ ପାଇଁ ଆବଶ୍ୟକୀୟ ବୈଷୟିକ ସୂଚନାର ଏକ ତୁରନ୍ତ ଭାବେ କାର୍ଯ୍ୟ କରିବ।

ଫଳରେ କର୍ମଚାରୀମାନେ ମେମୁ ଟ୍ରେନ୍‌ର ବିଭିନ୍ନ ଯନ୍ତ୍ରପାତି, ପ୍ରଣାଳୀ ଓ ରକ୍ଷଣାବେକ୍ଷଣ ପ୍ରକ୍ରିୟା ସମ୍ପର୍କିତ ଜ୍ଞାନକୁ ଆବଶ୍ୟକ ସମୟରେ ଶୀଘ୍ର ପୁନର୍ବାର ସହଜ କରିପାରିବେ।

‘ଟେକ୍‌ନୋଭା’ ମାଧ୍ୟମରେ ମେମୁ ରକ୍ଷଣାବେକ୍ଷଣରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରେ ନିରନ୍ତର ଶିକ୍ଷା, ବୈଷୟିକ ଜ୍ଞାନର ଆଦାନପ୍ରଦାନ, ଦକ୍ଷତା ବିକାଶ ଏବଂ ନିରାପଦ ରକ୍ଷଣାବେକ୍ଷଣ ପଦ୍ଧତିକୁ ଅଧିକ ପ୍ରୋତ୍ସାହନ ମିଳିବ।

ଏହି ଅଭିନବ ପଦକ୍ଷେପ ମେମୁ ଟ୍ରେନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟରେ ବୈଷୟିକ ଦକ୍ଷତା ବୃଦ୍ଧି ସହିତ ସୁରକ୍ଷା, ନିର୍ଭରଯୋଗ୍ୟତା ଓ କାର୍ଯ୍ୟକ୍ଷମତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।