ଶିକ୍ଷକଙ୍କୁ ରାସ୍ତାରୁ ଅପହରଣ, ୧୫ ଲକ୍ଷ ଟଙ୍କା ପାଇଁ ଚୁକ୍ତିପତ୍ର!
ଅପହରଣ ମାମଲାରେ ୨ ଗିରଫ, କାର୍ ଜବତ; ଆହୁରି ୫ ଅଭିଯୁକ୍ତ ଫେରାର
ରାୟଗଡା, ୧୭/୦୯(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଉପରକୋଡ଼ିଙ୍ଗା ଆଶ୍ରମ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ରାସ୍ତାରୁ ଅପହରଣ କରି ୧୫ ଲକ୍ଷ ଟଙ୍କା ଦାବି କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟିକିରି ଥାନା ପୁଲିସ ଘଟଣାର ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ଏକ କାର୍ ଜବତ କରିଛି। ଘଟଣାରେ ଆହୁରି ୫ ଜଣ ସମ୍ପୃକ୍ତ ଥିବା ଏବଂ ସେମାନେ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ଅବସରରେ ଶିକ୍ଷକ କାଶୀନାଥ ସାହୁ ବିଦ୍ୟାଳୟକୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ପୂର୍ବାହ୍ନରେ ସେ ଘରକୁ ଫେରୁଥିବା ବେଳେ ମାଙ୍କଡ଼ଝୋଲା ଗ୍ରାମ ନିକଟରେ କିଛି ଯୁବକ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ପରେ ତାଙ୍କ ଆଖିରେ ପଟି ବାନ୍ଧି ଜୋରଜବରଦସ୍ତି କାର୍ରେ ବସାଇ ଅପହରଣ କରି ଜୟପୁର ଦିଗକୁ ନେଇ ଯାଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ଟିକିରି ପୁଲିସ ତୁରନ୍ତ ଅପହରଣକାରୀଙ୍କ ପିଛା କରିଥିଲା। ପୁଲିସର ଚାପ ବଢ଼ୁଥିବା ଦେଖି ଅପହରଣକାରୀମାନେ କାଶୀନାଥଙ୍କୁ କୋରାପୁଟ ନିକଟରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ତେବେ ଛାଡ଼ିବା ପୂର୍ବରୁ ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ତିନି ଦିନ ମଧ୍ୟରେ ଦେବାକୁ ଏକ ଚୁକ୍ତିପତ୍ର ଲେଖାଇ ନେଇଥିଲେ। ଏଥିସହ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।ପରେ ପୁଲିସ ତାଙ୍କୁ ରାତି ପ୍ରାୟ ସାଢ଼େ ୧୦ଟାରେ ଉଦ୍ଧାର କରିଥିଲା। ଘଟଣାର ଗୁରୁତ୍ୱକୁ ନେଇ ଟିକିରି ପୁଲିସ ତଦନ୍ତ ଆରମ୍ଭ କରି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟିକିରି ଥାନା ଅଞ୍ଚଳର ଚିତ୍ତରଞ୍ଜନ ବାଗ ଏବଂ ନନ୍ଦପୁର ଅଞ୍ଚଳର ରଞ୍ଜିତ ଖିଲ। ଅପହରଣରେ ବ୍ୟବହୃତ କାର୍ଟିକୁ ମଧ୍ୟ ପୁଲିସ ଜବତ କରିଛି।ଏହି ଅପହରଣ ଘଟଣାରେ ଆହୁରି ୫ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ତେବେ ସେମାନେ ବର୍ତ୍ତମାନ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।ଏନେଇ ଟିକିରି ଥାନାରେ କେସ୍ ନଂ-୧୭୩/୨୦୨୬ ରେ ମାମଲା ରୁଜୁ ହୋଇଛି। ଏସ୍ଆଇ ପ୍ରଶାନ୍ତ ସୁବୁଦ୍ଧି ମାମଲାର ତଦନ୍ତ ଭାର ନେଇଛନ୍ତି। ଫେରାର ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଟିକିରି ଥାନା ଆଇଆଇସି ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି।