ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କର୍ପିଓ ଧକ୍କାରେ ବାଇକ୍ ଚାଳକ ମୃତ
ଘଟଣାସ୍ଥଳରେ ଓଲଟି ପଡ଼ିଲା ସ୍କର୍ପିଓ, ଚାଳକ ଫେରାର
କିଛି ଘଣ୍ଟାରେ ଶୋକରେ ପରିଣତ ହେଲା ଝିଅର ଜନ୍ମଦିନର ଖୁସି
ଲକ୍ଷ୍ମୀପୁର, ୧୮/୦୯ (ରଞ୍ଜିତ ମହାନନ୍ଦିଆ): ଝିଅର ଜନ୍ମଦିନ ଅବସରରେ ଘରେ କେକ୍ କାଟି ପରିବାର ସହ ଖୁସିର ମୁହୂର୍ତ୍ତ ବିତାଇଥିଲେ ବାପା। ହେଲେ ସେହି ଖୁସିର କିଛି ଘଣ୍ଟା ପରେ ଆସିଲା ଦୁଃଖଦ ଖବର। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କର୍ପିଓ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକ୍ ଚମ୍ପି ପଞ୍ଚାୟତ ଅନ୍ତର୍ଗତ ଟିମାଝୋଲା ଗ୍ରାମର ମାଝୀ ହିକକା (୩୫)।
ସୂଚନା ଅନୁଯାୟୀ, ମାଝୀ ହିକକାଙ୍କର ତିନିଜଣ ସନ୍ତାନ ଅଛନ୍ତି। ଗୁରୁବାର ତାଙ୍କ ସାନ ଝିଅ ପ୍ରଗତି ହିକକାଙ୍କ ଜନ୍ମଦିନ ଥିଲା। ଝିଅର ଜନ୍ମଦିନ ଅବସରରେ ଘରେ କେକ୍ କାଟି ପରିବାର ସହ ଖୁସିର ମୁହୂର୍ତ୍ତ ବିତାଇବା ପରେ ମାଝୀ କୌଣସି କାମରେ ନିକଟସ୍ଥ ତୋୟାପୁଟ ଛକକୁ ଯାଇଥିଲେ।
ପ୍ରାୟ ରାତି ୯ଟା ସମୟରେ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ତୋୟାପୁଟ ଛକ ନିକଟରେ ଘଟିଥିଲା ଅଘଟଣ। ଓଡି-୧୮-ପି-୯୯୯୮ ନମ୍ବର ଥିବା ଏକ କଳା ରଙ୍ଗର ସ୍କର୍ପିଓ ପଛପଟୁ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ତୀବ୍ର ଥିଲା ଯେ ବାଇକ୍ଟି ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିବା ବେଳେ ମାଝୀ ରାସ୍ତାର ଅନ୍ୟପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଧକ୍କା ପରେ ସ୍କର୍ପିଓଟି ମଧ୍ୟ ନିୟନ୍ତ୍ରଣ ହରାଇ ଘଟଣାସ୍ଥଳରେ ଓଲଟି ପଡ଼ି ରହିଥିଲା।
ଦୁର୍ଘଟଣାର ଭୟଙ୍କର ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୁରୁତର ମାଝୀ ହିକକାଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଟି ଓଲଟି ପଡ଼ି ରହିଥିବା ବେଳେ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଚାଳକଙ୍କୁ ଧରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ଦୁର୍ଘଟଣା ପରେ ମୃତକଙ୍କ ସମ୍ପର୍କୀୟ, ଗ୍ରାମବାସୀ ଓ ଅଞ୍ଚଳବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ଏହା ଯୋଗୁଁ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି।
ମାଝୀ ହିକକା ପେଶାରେ ଜଣେ କୁଲି ମଜୁରିଆ ଥିଲେ। ଶାନ୍ତ, ସରଳ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର ଲୋକେ ଗଭୀର ଦୁଃଖରେ ଥିବା ବେଳେ ତିନି ସନ୍ତାନ ବାପାଙ୍କୁ ହରାଇଛନ୍ତି।
ଝିଅର ଜନ୍ମଦିନ ଅବସରରେ ଯେଉଁ ଘରେ ହସଖୁସିର ପରିବେଶ ଥିଲା, ସେହି ଘରକୁ କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଘୋଡ଼ାଇ ଦେଇଛି। ଜନ୍ମଦିନର ଖୁସି ମଧ୍ୟରେ ବାପାଙ୍କୁ ହରାଇ ତିନି ସନ୍ତାନଙ୍କ ଆଖିରେ ଏବେ ଲୁହ।
ଖବର ଲେଖା ହେବା ସୁଦ୍ଧା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ରହିଥିବା ଜଣାପଡ଼ିଛି। ମାଝୀ ହିକକାଙ୍କ ଏହି ଅକାଳ ବିୟୋଗରେ ଟିମାଝୋଲା ଗ୍ରାମ ସମେତ ଚମ୍ପି ପଞ୍ଚାୟତ ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।