ଝିଅର ଜନ୍ମଦିନର ଖୁସି ଛଡ଼ାଇଲା ଶୋକର ଛାୟା

ଝିଅର ଜନ୍ମଦିନରେ କେକ୍ କାଟିଥିଲେ ବାପା, କିଛି ଘଣ୍ଟା ପରେ ଜଳିଲା ଚିତା

ନ୍ୟାୟ ଦାବିରେ ଥାନାରେ ଧାରଣା, ୧୪ ଘଣ୍ଟାରୁ ଅଧିକ ଜାତୀୟ ରାଜପଥ ଅବରୋଧ ପରେ ସମାଧାନ

ଲକ୍ଷ୍ମୀପୁର, ୧୮/୦୯ (ରଞ୍ଜିତ ମହାନନ୍ଦିଆ): ଘରେ ଥିଲା ହସଖୁସିର ମାହୋଲ। ଝିଅର ଜନ୍ମଦିନ ପାଇଁ କେକ୍ କଟାଯାଇଥିଲା। ବାପାଙ୍କ ହାତରୁ ଆଶୀର୍ବାଦ ନେଇ ଖୁସିରେ ମସଗୁଲ ଥିଲା କମଳମତି ଝିଅ ପ୍ରଗତି ହିକକା। ପରିବାରରେ ଶୁଭେଚ୍ଛା ଓ ଆନନ୍ଦର ମାହୋଲ।

ହେଲେ କିଏ ଜାଣିଥିଲା, ସେହି ଖୁସିର ଦିନଟି କିଛି ଘଣ୍ଟା ପରେ ପରିଣତ ହେବ ଜୀବନର ସବୁଠାରୁ ବଡ଼ ଦୁଃଖର ଦିନରେ!

ଝିଅର ଜନ୍ମଦିନ ପାଳନ କରିବାର କିଛି ଘଣ୍ଟା ପରେ ଘଟିଗଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କର୍ପିଓ ଧକ୍କାରେ ଅକାଳରେ ପ୍ରାଣ ହରାଇଲେ ବାପା ମାଝୀ ହିକକା (୩୫)। ଯେଉଁ ଦିନ ତିନି ସନ୍ତାନଙ୍କ ମଧ୍ୟରୁ ସାନ ଝିଅ ନିଜ ଜନ୍ମଦିନର ଖୁସି ପାଳନ କରୁଥିଲା, ସେହି ଦିନ ହିଁ ତିନି ସନ୍ତାନ ହରାଇଲେ ନିଜ ବାପାଙ୍କୁ।

ମୃତକ ମାଝୀ ହିକକା ଲକ୍ଷ୍ମୀପୁର ବ୍ଲକ୍ ଚମ୍ପି ପଞ୍ଚାୟତ ଅନ୍ତର୍ଗତ ଟିମାଝୋଲା ଗ୍ରାମର ବାସିନ୍ଦା।

ଜନ୍ମଦିନ ପାଳନ ପରେ ଘରକୁ ଫେରୁଥିଲେ ମାଝୀ

ସୂଚନା ଅନୁଯାୟୀ, ଗୁରୁବାର ଥିଲା ମାଝୀ ହିକକାଙ୍କ ସାନ ଝିଅ ପ୍ରଗତି ହିକକାଙ୍କ ଜନ୍ମଦିନ। ପରିବାର ସହ ଝିଅର ଜନ୍ମଦିନ ପାଳନ କରିବା ପରେ ମାଝୀ କୌଣସି କାମରେ ତୋୟାପୁଟ ଛକକୁ ଯାଇଥିଲେ।

ରାତି ପ୍ରାୟ ୯ଟା ସମୟରେ କାମ ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ତୋୟାପୁଟ ଛକ ନିକଟରେ ଘଟିଥିଲା ଦୁର୍ଘଟଣା। ଏକ କଳା ରଙ୍ଗର ସ୍କର୍ପିଓ ତାଙ୍କ ବାଇକ୍‌କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା।

ଧକ୍କା ଏତେ ତୀବ୍ର ଥିଲା ଯେ ବାଇକ୍‌ଟି ପ୍ରାୟ ୨୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ମାଝୀ ରାସ୍ତାର ଅନ୍ୟପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍କର୍ପିଓଟି ମଧ୍ୟ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।

ଗୁରୁତର ଅବସ୍ଥାରେ ମାଝୀଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ନ୍ୟାୟ ଦାବିରେ କିଛି ଗ୍ରାମବାସୀ ଓ ମହିଳା ଲକ୍ଷ୍ମୀପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଫେରାର ସ୍କର୍ପିଓ ଚାଳକଙ୍କୁ ଧରିବା, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଓ ନ୍ୟାୟ ପ୍ରଦାନ ଦାବିରେ ଧାରଣା ଜାରି ରହିଥିଲା।

ପରିସ୍ଥିତିକୁ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀ ଓ ପରିବାରବର୍ଗଙ୍କ ସହ ଆଲୋଚନା ଚାଲିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ, ନ୍ୟାୟ ଓ ଫେରାର ଚାଳକଙ୍କୁ ଧରିବା ଦାବିରେ ଉତ୍ତ୍ୟକ୍ତ ଲୋକେ ଗତ କାଲି ରାତି ପ୍ରାୟ ୧୦ଟାରୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଦୀର୍ଘ ୧୪ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଯାତ୍ରୀବାହୀ ବସ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିବାରୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀ, ସାମଗ୍ରୀ ପରିବହନ ଗାଡ଼ି, ଛାତ୍ର ଛାତ୍ରୀ ଓ ଜରୁରୀ କାମରେ ଯାଉଥିବା ଲୋକମାନେ ମଧ୍ୟ ଯାତାୟାତ ବାଧାରେ ପଡ଼ିଥିଲେ।

ଏହି ସମୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତ।, ପୂର୍ବତନ ସାଂସଦ ଝିନ ହିକକା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଘଟଣା ସ୍ଥଳକୁ ପହଞ୍ଚି ଥାନା ଅଧିକାରୀ, ଗାଡ଼ି ମାଲିକ ଓ ମୃତକଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମାଧାନର ପ୍ରୟାସ କରିଥିଲେ।

ସେହିପରି ଲକ୍ଷ୍ମୀପୁର ତହସିଲଦାର ନୈବେଦ୍ୟ ଭୋଇ ମଧ୍ୟ ଅବରୋଧସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।

ଦୀର୍ଘ ସମୟ ଧରି ଆଲୋଚନା ପରେ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବି ନେଇ ସମାଧାନର ବାଟ ବାହାରିଥିଲା। ସବ ବ୍ୟବଚ୍ଛେଦ ପରେ ମୃତକଙ୍କ ମରଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମାଧାନ ହେବା ପରେ ଶେଷରେ ରାଜପଥ ଅବରୋଧ ହଟାଯାଇଥିଲା। ଏହାପରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଯାନବାହନଗୁଡ଼ିକର ଚଳାଚଳ ସ୍ୱାଭାବିକ ହୋଇଥିଲା।

ଏହି ସମଗ୍ର ପ୍ରକ୍ରିୟାରେ ଲକ୍ଷ୍ମୀପୁର ଏସଡି ପିଓ ମୋନଜ ବେହେରା ଥାନା ଅଧିକାରୀ ସୁଜ୍ଞାନି ସାହୁ ପରିସ୍ଥିତି ନିୟନ୍ତ୍ରଣ, ଆଲୋଚନା ଓ ଆଇନଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିଥିବା ଜଣାପଡ଼ିଛି।

ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଫେରାର ସ୍କର୍ପିଓ ଚାଳକଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି।

ଏହି ସମଗ୍ର ଘଟଣାର ସବୁଠାରୁ ଯନ୍ତ୍ରଣାଦାୟକ ଦିଗ ହେଉଛି ମାଝୀଙ୍କ ସାନ ଝିଅ ପ୍ରଗତିଙ୍କ ଜନ୍ମଦିନ।

ଯେଉଁ ଦିନ ସେ ବାପାଙ୍କ ହାତରୁ ଜନ୍ମଦିନର ଆଶୀର୍ବାଦ ନେଇଥିବ, ଯେଉଁ ଦିନ ବାପାଙ୍କ ସହ କେକ୍ କାଟି ହସିଥିବ, ସେହି ଦିନର କିଛି ଘଣ୍ଟା ପରେ ତା’ ମୁଣ୍ଡ ଉପରୁ ଚାଲିଗଲା ବାପାଙ୍କ ଛାୟା।

କମଳମତି ପ୍ରଗତି ହୁଏତ ଆଜି ନିଜ ମନ ଭିତରେ ଅନେକ ପ୍ରଶ୍ନ ନେଇ ନିରବ ହୋଇ ବସିଥିବ।

“ବାପା, ମୋ ଜନ୍ମଦିନରେ ତୁମ ମୃତ୍ୟୁଦିନ କେମିତି ହେଲା?”

ଏହି ପ୍ରଶ୍ନର ଉତ୍ତର ହୁଏତ କାହା ପାଖରେ ନାହିଁ।

ଜନ୍ମଦିନର କେକ୍‌ର ମିଠା ସ୍ମୃତି ମନରୁ ମିଳାଇ ନଥିବା ବେଳେ ବାପାଙ୍କୁ ହରାଇବାର ଯନ୍ତ୍ରଣା ଏହି କମଳମତି ଝିଅର ଶୈଶବ ମନରେ କେତେ ଗଭୀର ଘା’ କରିଛି, ତାହା କହିବା ସହଜ ନୁହେଁ।

ଏବେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଆସିବ। ଘରେ ହୁଏତ ପୁଣି କେକ୍ କଟାଯିବ। ଶୁଭେଚ୍ଛା ମିଳିବ। କିନ୍ତୁ ସେହି ଖୁସି ଭିତରେ ସବୁବେଳେ ଲୁଚି ରହିବ ଏକ ଗଭୀର ଦୁଃଖ—“ମୋ ଜନ୍ମଦିନର ରାତିରେ ମୁଁ ମୋ ବାପାଙ୍କୁ ହରାଇଥିଲି।”

ମାଝୀଙ୍କ ମୃତ୍ୟୁରେ କେବଳ ଜଣେ ପରିବାର ନୁହେଁ, ତିନିଜଣ ସନ୍ତାନ ହରାଇଛନ୍ତି ନିଜ ଜୀବନର ଆଶ୍ରୟ। ଜଣେ ସ୍ତ୍ରୀ’ ହରାଇଛନ୍ତି ନିଜ ଜୀବନସାଥୀ। ଟିମାଝୋଲା ଗ୍ରାମ ହରାଇଛି ଜଣେ ପରିଚିତ ମଣିଷଙ୍କୁ।

ଯେଉଁ ରାତିରେ ଘରେ ଜନ୍ମଦିନର ହସ ଓ ଖୁସିର ସ୍ୱର ଶୁଭିବା କଥା ଥିଲା, ସେହି ରାତିରେ ଶୁଭିଲା କାନ୍ଦଣାର ସ୍ୱର। ଏକ ଛୋଟ ଝିଅର ଜନ୍ମଦିନ ଏବେ ତା’ ଜୀବନରେ ଖୁସି ସହ ଜଡ଼ି ରହିବ ଏକ ଅସହ୍ୟ ବିୟୋଗର ସ୍ମୃତି।

ଜନ୍ମଦିନର କେକ୍‌ର ମିଠାସ ମଧ୍ୟରେ ଲୁଚିଗଲା ବାପାଙ୍କୁ ହରାଇବାର ଲୁହ—ପ୍ରଗତିଙ୍କ ପାଇଁ ଏହି ଦିନ ହୋଇ ରହିଗଲା ଜୀବନର ଏକ ଅବିସ୍ମରଣୀୟ ଦିନ।