ବାଲି ଆଣିବାକୁ ଯାଇଥିଲେ, ନଦୀରୁ ମିଳିଲା ମୃତଦେହ

ରହସ୍ୟ ଘେରରେ ରୁଦ୍ର ସୁନାଙ୍କ ମୃତ୍ୟୁ, ପୁଲିସର ତଦନ୍ତ ଜାରି

ରାୟଗଡା/ମୁନିଗୁଡ଼ା, ୧୮/୦୯ (ଦକ୍ଷ ବାଥ୍ରା): ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ନଦୀକୁ ଯାଇଥିଲେ। ହେଲେ ଆଉ ଫେରିଲେ ନାହିଁ। ଶେଷରେ କୁଟୁରାଗଡ଼ ନଦୀରୁ ମିଳିଲା ଟ୍ରାକ୍ଟର ଡ୍ରାଇଭରଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଧୀନ ବିଷମକଟକ ବ୍ଲକ ଡାଲିଆକୁଜି ଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ହେଲେ ଡାଲିଆକୁଜି ଗାଁର ରୁଦ୍ର ସୁନା। ସୂଚନା ଅନୁସାରେ, ରୁଦ୍ର ଟ୍ରାକ୍ଟର ନେଇ ବାଲି ଆଣିବା ପାଇଁ କୁଟୁରାଗଡ଼ ନଦୀକୁ ଯାଇଥିଲେ। ତେବେ ନଦୀକୁ ଯିବା ପରେ କୌଣସି କାରଣରୁ ସେ ପାଣିରେ ଭାସିଯାଇଥିବା ନେଇ ସନ୍ଦେହ କରାଯାଉଛି। ଦୀର୍ଘ ସମୟ ଧରି ରୁଦ୍ରଙ୍କ ଖୋଜଖବର ନମିଳିବାରୁ ଗାଁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା।ପରେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ କୁଟୁରାଗଡ଼ ନଦୀ ନିକଟରେ ପହଞ୍ଚି ଖୋଜାଖୋଜି କରିଥିଲେ। ଏନେଇ ମୁନିଗୁଡ଼ା ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୁଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ତେବେ ରୁଦ୍ରଙ୍କ ମୃତ୍ୟୁ କେମିତି ଏବଂ କେଉଁ ପରିସ୍ଥିତିରେ ଘଟିଲା, ସେ ପାଣିରେ କିପରି ଭାସିଗଲେ ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ—ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।ଘଟଣାକୁ ନେଇ ମୁନିଗୁଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ରୁଦ୍ରଙ୍କ ଅକାଳ ମୃତ୍ୟୁରେ ଡାଲିଆକୁଜି ଗାଁରେ ଶୋକର ଛାୟା ଖେଳିଯାଇଛି।