ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବାଟ ମହାବୀର ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କଲେ ବିଜେପି ନେତା ଗୋଲକ ମହାପାତ୍ର

ଜନସାଧାରଣଙ୍କ ସହଭାଗିତାରେ ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୭/୦୯: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ ସେବାମୂଳକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ଭୁବନେଶ୍ୱରର ୱାର୍ଡ ନମ୍ବର-୪ ଅନ୍ତର୍ଗତ ହଂସପାଳ ଗ୍ରାମରେ ମଧ୍ୟ ଜନସାଧାରଣଙ୍କ ସହଭାଗିତାରେ ଏକ ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର ହଂସପାଳ ଗ୍ରାମର ଜନସାଧାରଣଙ୍କ ସହ ମିଶି ବାଟ ମହାବୀର ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ପବିତ୍ର ଅବସରରେ ସେ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରିଥିଲେ।

କାର୍ଯ୍ୟକ୍ରମରେ ହଂସପାଳ ଗ୍ରାମର ବହୁ ସଂଖ୍ୟକ ଜନସାଧାରଣ, ସ୍ଥାନୀୟ ଯୁବକ, ମହିଳା ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ଶ୍ରୀ ମହାପାତ୍ର ସମସ୍ତଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସେବା, ସମର୍ପଣ ଓ ସମାଜ ପ୍ରତି ଦାୟିତ୍ୱବୋଧର ଦିବସ ଭାବେ ପାଳନ କରିବାର ଆହ୍ୱାନ ଦେଇଥିଲେ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେବଳ ଉତ୍ସବ ପାଳନ ନୁହେଁ, ବରଂ ଲୋକଙ୍କ ସେବା, ସମାଜର ଉନ୍ନତି ଓ ଅସହାୟ ଲୋକଙ୍କ ପାଖରେ ଠିଆ ହେବା ହିଁ ଏହି ଦିନର ମୂଳ ଉଦ୍ଦେଶ୍ୟ ହେବା ଉଚିତ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାଥୀ କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ସମାଜ ଗଠନ ଦିଗରେ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ସମସ୍ତେ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।